ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ପାଇଁ ଅନୁମତି, ପରେଡ୍କୁ ନେଇ ଦିଲ୍ଲୀ ପୋଲିସର ବ୍ଲୁ ପ୍ରିଣ୍ଟ୍
24/01/2021 at 6:01 PM

ନୂଆଦିଲ୍ଲୀ ୨୪/୦୧ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଥିଲେ । ୩ ନୂଆ ଆଇନକୁ ଗତ ୬୦ ଦିନ ଧରି ଧାରଣା ମାଧ୍ୟମରେ ତୀବ୍ର ବିରୋଧ କରୁଥିବା ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ । ତେବେ ଏହାକୁ ଲିଖିତ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କେଉଁ କେଉଁ ରୁଟ୍ରେ ଚାଷୀମାନେ ଟ୍ରାକ୍ଟର ପରେଡ୍ କରିପାରିବେ ତାହାର ଏକ ରୁଟ୍ ମ୍ୟାପ୍ ତିଆରି କରିଛି ଦିଲ୍ଲୀ ପୋଲିସ । ଜାନୁୟାରୀ ୨୬ରେ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ରାଲି କରିବେ ।
ସୂଚନା ଅନୁଯାୟୀ, ଚାଷୀମାନଙ୍କୁ ମୋଟ ୩ଟି ରୁଟ୍ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି । ଏହାକୁ ନେଇ ଦିଲ୍ଲୀ ପୋଲିସ କମିସନର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପରେଡ୍ ଏବଂ ତା ସହିତ ଚାଷୀମାନଙ୍କର ଟ୍ରାକ୍ଟର ରାଲି ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବ । ସେଥିପାଇଁ ଦିଲ୍ଲୀ ପୋଲିସ କମିସନର ସମସ୍ତ ପୋଲିସ କର୍ମୀ ଏବଂ ଅଧିକାରୀମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ କହିଛନ୍ତି ।
ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିବା ପରେ ଚାଷୀ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ‘ଦିଲ୍ଲୀ ପୋଲିସ ସହିତ ଏକ ବୈଠକ ହୋଇଥିଲା । ଟ୍ରାକ୍ଟର ରାଲି ପାଇଁ ପୋଲିସ ଠାରୁ ଔପଚାରିକ ଅନୁମତି ମିଳିଛି । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଶାନ୍ତିପୂର୍ଣ୍ଣ ଭାବେ କରାଯିବ’ ।
କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ପୂର୍ବରୁ ୧୧ ଥର ବୈଠକ ହୋଇସାରିଛି । କିନ୍ତୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସରକାର ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ସେପଟେ ଚାଷୀମାନେ ନୂଆ କୃଷି ଆଇନକୁ ରଦ୍ଦ କରିବା ଜିଦ୍ରେ ଅଟଳ । କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ସରକାର ଚାଷୀମାନଙ୍କୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା କୃଷକ ସଂଗଠନମାନେ କୃଷି ଆଇନ ପ୍ରତ୍ୟାହାର ଜିଦ୍ରେ ଅଟଳ ଅଛନ୍ତି ।