ଦିଲ୍ଲୀ ଝଟକା କଂଗ୍ରେସର ପିଛା ଛାଡୁନି, ୬୩ ପ୍ରାର୍ଥୀଙ୍କ ଉଡିଗଲା ଅମାନତ: ଇସ୍ତାଫା ଦେଲେ ଦିଲ୍ଲୀ ପିସିସି ସଭାପତି

Published By : Prameya-News7 Bureau | February 11, 2020 IST

 ନୂଆଦିଲ୍ଲୀ ୧୧/୦୨- ଲଗାତର ୧୫ ବର୍ଷ ସରକାର କରି ମଧ୍ୟ ୨୦୧୫ ନିର୍ବାଚନ ଠାରୁ  ଦିଲ୍ଲୀ କଂଗ୍ରେସ ପାଇଁ ବହୁ ଦୂର ହୋଇଯାଇଛି। କଂଗ୍ରେସ ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଖାତା ଖୋଲି ପାରିନି ।ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ରାଜ କରୁଥିଲା । କିନ୍ତୁ ୨୦୧୫ ରେ ଶୀଲା ଦୀକ୍ଷିତଙ୍କ ପରାଜୟ ପରଠୁ ଝଟକାରୁ ମୁକ୍ତ ହୋଇପାରୁନି କଂଗ୍ରେସ । ତେବେ ଚଳିତଥର ଏହି ସ୍ଥିତି ଅଧିକ ଲଜ୍ଜା ଜନକ ହୋଇଛି ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ପାଇଁ । କଂଗ୍ରେସ ଚଳିତ ନିର୍ବାଚନରେ ଆରଜେଡି ସହ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଥିଲା ।ମୋଟ ୭୦ ବିଧାନସଭା ଆସନରୁ କଂଗ୍ରେସ ୬୬ ଏବଂ ଆରଜେଡି ୪ ଟି ଆସନରେ ପ୍ରାର୍ଥୀ ଦେଇଥିଲେ ।କିନ୍ତୁ ମେଣ୍ଟ ଗୋଟିଏ ବି ଆସନ ଜିଣି ନଥିବା ବେଳେ ୬୩ ଜଣ କଂଗ୍ରେସ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଛନ୍ତି । ଦଳର ଏପରି ଲଜ୍ଜାଜନକ ପରାଜୟ ଲାଗି ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ଚୋପ୍ରା ।

{"id":223447,"width":585,"height":936,"sizeSlug":"large"}

କଂଗ୍ରେସର ମାତ୍ର ୩ ଜଣ ପ୍ରାର୍ଥୀ ସେମାନଙ୍କ ଇଜ୍ଜତକୁ ବହୁ କଷ୍ଟରେ ରଖିପାରିଛନ୍ତି । ସେମାନଙ୍କ ଅମାନତ ଉଡିନି। ଅର୍ଥାତ ସେମାନେ ସେମାନଙ୍କ ଅମାନତ ଜମା ସୁରକ୍ଷିତ ରଖିପାରିଛନ୍ତି  । ସେହି ତିନି ପ୍ରାର୍ଥୀ ହେଲେ, ଗାନ୍ଧିନଗରରେ ପ୍ରାର୍ଥୀ ହୋଇଥିବା ଅରବିନ୍ଦର ସିଂ ଲଭଲି, ବଡଲି ବିଧାନସଭା କ୍ଷେତ୍ର ପ୍ରାର୍ଥୀ ଦେବେନ୍ଦର ଯାଦବ ଏବଂ ଅଭିଷେକ ଦତ୍ତ , ଯେକି  କସ୍ତୁରବା ନଗରରୁ ହାତ ଚିହ୍ନରେ ଲଢୁଥିଲୋ ।ଏହି ତିନି ପ୍ରାର୍ଥୀଙ୍କ ବ୍ୟତୀତ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଏବଂ ଚର୍ଚ୍ଚିତ ନେତା ଫେଲ ମାରିଛନ୍ତି ।

 ଚଳିତ ନିର୍ବାଚନରେ କଂଗ୍ରେସ ହାରାହାରି ମାତ୍ର ୪ ପ୍ରତିଶତ ଭୋଟ ପାଇଥିବା ଜଣାଯାଇଛି ।ଯାହାକି ଆପ୍ ଏବଂ ବିଜେପି ତୁଳନାରେ ବହୁତ କମ୍ ।ସାଧାରଣତଃ ଏକ ନିର୍ବାଚନ ମଣ୍ଡଳୀରେ ପଡିଥିବା ଭୋଟର ଛଅ ଭାଗରୁ ଭାଗେ ବୈଧ ଭୋଟ ପାଇଥିବା ପ୍ରାର୍ଥୀଙ୍କ ଅମାନତ ରହିଥାଏ । କିନ୍ତୁ ଅଧିକାଂଶ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ତାଙ୍କ ନିର୍ବାଚନ ମଣ୍ଡଳୀରେ ପଡିଥିବା ବୈଧ ଭୋଟର ୫ ପ୍ରତିଶତରୁ ବି କମ୍ ।

{"id":223448,"sizeSlug":"large"}

 କଂଗ୍ରେସ ହେଭିୱେଟଙ୍କ ମଧ୍ୟରୁ  ପ୍ରଚାର କମିଟି ଅଧ୍ୟକ୍ଷ କିର୍ତ୍ତୀ ଆଜାଦଙ୍କ ପତ୍ନୀ ପୁନମ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ୪ ନମ୍ବରରେ ରହି ଲଜ୍ଜାଜନକ ହାର ସାମ୍ନା କରିଛନ୍ତି । ସେହିପରି ଦିଲ୍ଲୀ କଂଗ୍ରେସ ନେତା ସୁବାଷ ଚୋପ୍ରାଙ୍କ ଝିଅ ଶିବାନୀ ଚୋପ୍ରା କାଲକାଜିରେ  ଅମାନତ ହରାଇଛନ୍ତି । ତାଙ୍କ ଭୋଟ ୪ ପ୍ରତିଶତ ଥିବା ବେଳେ, ଅନ୍ୟ ଜଣେ ବରିଷ୍ଠ ନେତା ତଥା ଦିଲ୍ଲୀ ବିଧାନସଭାର ପୂର୍ବତନବାଚସ୍ପତି ଯୋଗେନ୍ଦ୍ର ଶାସ୍ତ୍ରୀଙ୍କ ଝିଅ ପ୍ରିୟଙ୍କା ସିଂ ପାଇଛନ୍ତି ମାତ୍ର ୩.୬ ପ୍ରତିଶତ ଭୋଟ ।ଚର୍ଚ୍ଚିତ ପ୍ରାର୍ଥୀ ତଥା ଆପ୍‌ର ପୂର୍ବତନ ବିଧାୟିକା ଅଳକା ଲାମ୍ବା କିନ୍ତୁ କଂଗ୍ରେସରୁ ଲଢି ପୁରା ମାଟି କାମୁଡିଛନ୍ତି । ଚାନ୍ଦନୀଚୌକ ବିଧାନସଭା ଆସନରେ ଲାମ୍ବା ମାତ୍ର ୫.୦୩ ପ୍ରତିଶତ ଭୋଟ ପାଇଚନ୍ତି । ଚଳିତ ନିର୍ବାଚନରେ ସବୁଠୁ କମ୍‌ ବୟସର ପ୍ରାର୍ଥୀ ତଥା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ରକି ଟୁସାଡ  ମାତ୍ର ୩.୮ ପ୍ରତିଶତ ଭୋଟ ପାଇଛନ୍ତି ।

ଭୋଟଗ୍ରହଣର ମାତ୍ର ୩ ଦିନ ଆଗରୁ କଂଗ୍ରେସ ପାଇଁ ପ୍ରଚାରକୁ ଓହ୍ଲାଇଥିଲେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ର। ତୃଣ ମୂଳ କର୍ମୀଙ୍କ ସହ ଯୋଗାଯୋଗ ତଥା ସଂପର୍କର ଅଭାବ ଏବଂ ଗାନ୍ଧି ପରିବାର ଉପରେ ଭରସା ଏବଂ ଦୁର୍ବଳ ଲୋକ ସଂପର୍କ  ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ସମସ୍ୟା ହେଲା । ଯଦିଓ ପରାଜୟକୁ ମାନି ନେଇ କଂଗ୍ରେସ ପୁଣି ପରାଜୟରୁ ଉଠିବାକୁ ଦଳ ଉଦ୍ୟମ କରିବ ବୋଲି କହିଛି।କିନ୍ତୁ ଦଳର ସ୍ଥିତି , କର୍ମୀଙ୍କ ମଧ୍ୟରେ ହତାଶା ଆଦି କାରଣଯୋଗୁଁ ଝଟକାରୁ ଝାଡିଝୁଡି ହୋଇ ଉଠିବା ଏକ ବଡ ଚ୍ୟାଲେଞ୍ଜ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.