ଅନୁଭବ-ବର୍ଷା ବିବାଦ ମାମଲା : କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ରହିବାକୁ ବର୍ଷାଙ୍କୁ ସମନ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୭।୧୦: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାଡପତ୍ର ମାମଲାର ଶୁଣାଣି ହୋଇଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମାମଲାର ଶୁଣାଣି କରିବା ସହ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଡିସେମ୍ବର ୧୦ରେ କୋର୍ଟରେ ହାଜର ପାଇଁ ସମନ ଜାରି କରିଛନ୍ତି କୋର୍ଟ । ଶୁଣାଣିରେ ବର୍ଷାଙ୍କୁ ଉପସ୍ଥିତ ରହି ନିଜର ପକ୍ଷ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ବର୍ଷାଙ୍କ ବିରୋଧରେ ଛାଡପତ୍ର ମାମଲା ରୁଜ୍ଜୁ କରିଛନ୍ତି ଅନୁଭବ । ଯାହାର ଆଜି ପ୍ରଥମ ଶୁଣାଣି ହୋଇଛି । ଶୁଣାଣିରେ ଅନୁଭବ କୋର୍ଟରେ ନିଜର ପକ୍ଷ ରଖିଛନ୍ତି ।

ବର୍ଷା-ଅନୁଭବଙ୍କ ବିବାଦ ଏବେ କଟକ ଏସଡିଜେମ କୋର୍ଟଙ୍କ ବିଚାରଧୀନ ରହିଛି।  ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପିଟିସନ ଦାଖଲ କରିଛନ୍ତି । ତେବେ ଏହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ  ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ ମଧ୍ୟ କରିଥିଲେ ।

ଅନୁଭବଙ୍କ ଓକିଲ ଏ ନେଇ ପୂର୍ବରୁ କହି ସାରିଛନ୍ତି ମାମଲା ଯେଉଁଠି ଶୁଣାଣି ହେଲେ ଅନୁଭବଙ୍କର କିଛି ଅସୁବିଧା ନାହିଁ । କିଛିଦିନ ତଳେ ଏହି ପ୍ରସଙ୍ଗକୁ ନେଇ ଉଭୟ ବର୍ଷା ଓ ଅନୁଭବ ସୋସିଆଲ ମିଡିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.