ବହୁ ଚର୍ଚ୍ଚିତ ଜେସିକା ହତ୍ୟା ମାମଲା: ୧୭ ବର୍ଷ ପରେ ଜେଲ୍ରୁ ମୁକୁଳିବେ ହତ୍ୟାକାରୀ ମନୁ ଶର୍ମା, ଉପ ରାଜ୍ୟପାଳ ଦେଲେ ମଞ୍ଜୁରୀ
2/06/2020 at 3:49 PM

ନୂଆଦିଲ୍ଲୀ ୦୨।୦୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ମନୁ ଶର୍ମାଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାକୁ ଆଦେଶ ଦିଆଯାଇଛି। ଉପରାଜ୍ୟପାଳ ଅନିଲ ବୈଜଲ ଶର୍ମାଙ୍କ ସମେତ ଅନ୍ୟ ୧୮ କଏଦୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଆଦେଶକୁ ମଞ୍ଜୁରୀ ଦେଇଛନ୍ତି। ମନୁ ଶର୍ମାଙ୍କୁ ୧୪ ବର୍ଷର ଜେଲ୍ ସଜା ପରେ ଭଲ ବ୍ୟବହାର ଆଧାରରେ ତିହାର ଜେଲ୍ରୁ ମୁକ୍ତ କରାଯାଉଛି। ସଂପ୍ରତି ସେ ପାରୋଲରେ ବାହାରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀ ସରକାରଙ୍କ ସଜା ସମୀକ୍ଷା ବୋର୍ଡ ତିହାର ଜେଲ୍ରେ ସଜା କାଟୁଥିବା ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ମନୁ ଶର୍ମାଙ୍କ ମୁକ୍ତ କରିବା ଉପରେ ନିଷ୍ପତ୍ତିକୁ ଘୁଞ୍ଚାଇ ଦେଇଥିଲେ। ମନୁ ଶର୍ମା ଜେସିକା ହତ୍ୟାକାଣ୍ଡରେ ତିହାର ଜେଲ୍ରେ ଆଜୀବନ ସଜା କାଟୁଥିଲେ। ମନୁ ଶର୍ମା ୧୯୯୯ରେ ମୋଡେଲ୍ ଜେସିକା ଲାଲଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ପ୍ରସିଦ୍ଧ ମୋଡେଲ୍ ଜେସିକା ଲାଲଙ୍କୁ ୧୯୯୯ ଏପ୍ରିଲ ୨୯ରେ ଦିଲ୍ଲୀର ରେମରିଣ୍ଡ ରେସ୍ତୋରାଁରେ ଗୁଳି କରି ହତ୍ୟା କରାଯାଇଥିଲା। ଏହାର କାରଣ ଜେସିକା ମଦ ପରସିବାକୁ ମନା କରି ଦେଇଥିଲେ। ହତ୍ୟାକାରୀ ଆଉ କେହି ନଥିଲେ ଖୁଦ୍ ମନୁ ଶର୍ମା ହିଁ ଥିଲେ।
ତିହାର ଜେଲ୍ରେ ପ୍ରାୟ ୧୭ ବର୍ଷରୁ ବନ୍ଦୀ ଥିବା ମନୁ ଶର୍ମାଙ୍କୁ ଉପରାଜ୍ୟପାଳଙ୍କ ଆଦେଶ କ୍ରମେ ମୁକ୍ତ କରାଯାଇଛି। ତାଙ୍କୁ ମୁକ୍ତ କରିବାକୁ ଦିଲ୍ଲୀ ସଜା ସମୀକ୍ଷା ବୋର୍ଡ ଉପରାଜ୍ୟପାଳଙ୍କୁ ସୁପାରିସ କରିଥିଲେ। କମିଟିର ସୁପାରିସ୍ ଏବଂ ଉପରାଜ୍ୟପାଳଙ୍କ ଆଦେଶ କ୍ରମେ ମନୁ ଶର୍ମା ଜେଲ୍ରୁ ମୁକ୍ତ ହୋଇଛନ୍ତି।

ମନୁ ଶର୍ମା ହରିୟାଣାର ନେତା ବିନୋଦ ଶର୍ମାଙ୍କ ପୁଅ। ସାତ ବର୍ଷ ଧରି ଚାଲିଥିବା ମୋକଦ୍ଦମା ପରେ ଏହି ମାମଲାରେ ୨୦୦୬ ଫେବୃଆରୀରେ ସମସ୍ତ ଆରୋପୀ ମୁକ୍ତ ହୋଇଥିଲେ। ଆରୋପି ମୁକ୍ତ ହେଲେ ମଧ୍ୟ ଜେସିକାଙ୍କ ପରିବାର ନିରାଶ ହୋଇନଥିଲେ। ତାଙ୍କ ଭଉଣୀ ଏହି କେସ୍କୁ ନୂତନ ଭାବେ ଯାଞ୍ଚ କରିବାକୁ ଲଢିଥିଲେ। ଏହି ମାମଲା ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ପରେ ଜେସିକା ଲାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ କେବଳ ଦିଲ୍ଲୀ ନୁହେଁ ପୁରା ଦେଶ ଏକଜୁଟ ହୋଇଥିଲା। ଏହା ପରେ କେସ୍କୁ ପୁନର୍ବାର ଖୋଲିବାକୁ ପଡିଥିଲା। ଫାଷ୍ଟଟ୍ରାକ୍ରେ କେସ୍ ଚାଲିଲା। ଏହା ପରେ ଜେସିକାଙ୍କ ହତ୍ୟାକାରୀ ମନୁ ଶର୍ମାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।