ଆଇପିଏଲ-୨୦୨୧ : ଆଜି ଦିଲ୍ଲୀ-କୋଲକାତା ଫାଇଟ୍, ପନ୍ତଙ୍କୁ ଚେକ୍ ଦେବେ ମୋର୍ଗାନ

Published By : Prameya-News7 Bureau | September 28, 2021 IST

ସାରଜା,୨୮/୦୯: ଆଇପିଏଲ୍‌ର ୪୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ । ୧୦ଟି ମ୍ୟାଚ୍‌ରୁ ୧୬ ପଏଣ୍ଟ ହାସଲ କରିସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଜାରି ରଖି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ନାଇଟ୍‌ ରାଇଡର୍ସ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଇତି ମଧ୍ୟରେ ୮ପଏଣ୍ଟ ହାସଲ କରିସାରିଥିବା ନାଇଟ୍‌ ରାଇଡର୍ସକୁ ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ଶେଷ ୪ଟି ମ୍ୟାଚ୍‌ରୁ ଅତି କମ୍‌ରେ ୩ଟି ମ୍ୟାଚ୍‌ ଜିତିବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଧାରାରେ ବ୍ରେକ୍‌ ଲଗାଇବାର କ୍ଷମତା ନାଇଟ୍‌ ରାଇଡର୍ସ ନିକଟରେ ରହିଛି । ପ୍ରଥମାର୍ଦ୍ଧ ତୁଳନାରେ ଏଥର ଦଳ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି । ଭେଙ୍କଟେଶ ଆୟର ଓ ଶୁଭମନ ଗିଲ୍‌ ଯୋଡି ସଫଳତାର ସହ ଓପନିଂ ଦାୟିତ୍ୱ ତୁଲାଉଛନ୍ତି । ବାକି ମଧ୍ୟ ଭାଗରେ ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ସୁଦୃଢ ରହିଛି । ବିଶେଷ କରି ବରୁଣ ଚକ୍ରବର୍ତ୍ତୀ, ସୁନିଲ ନାରାଏନ ଓ ଲୋକି ଫର୍ଗୁସନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ଶ୍ରେୟାସ ଆୟର ଫିଟ୍‌ ହୋଇ ଫେରିବା ପରେ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ହୋଇଛି। ବୋଲିଂ ବିଭାଗକୁ ନେଇ ପ୍ରଶ୍ନ ଉଠାଯାଇପାରିବ ନାହିଁ । କାଗିସୋ ରାବାଡା, ଆନରିଚ ନର୍ଜ ଓ ଅଭେଶ ଖାନ୍‌ଙ୍କୁ ନେଇ ଗଠିତ ପେସ୍‌ ବାହିନୀ ଘାତକ ସାବ୍ୟସ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.