ଦିଲ୍ଲୀର ଗୋଟିଏ ପରିବାରରୁ ୩୧ କରୋନା ସଂକ୍ରମିତ ଚିହ୍ନଟ, ବଢିଲା ପ୍ରଶାସନର ମୁସ୍କିଲ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୦୪:  ବିଶ୍ଵ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ କ୍ରମାଗତ ବଢିବାରେ ଲାଗିଛି। ଏହି ମରଣାନ୍ତ ଭାଇରସ୍‌ରେ ରାଜଧାନୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭୦୦ ଅତିକ୍ରମ କରି ସାରିଛି। ଦିଲ୍ଲୀର ଜହାଙ୍ଗୀରପୁରୀରେ ଗୋଟିଏ  ପରିବାରରୁ ଆଜି ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା ମିଳିବା ମାତ୍ରେ ପ୍ରଶାସନ ମହଲରେ ଚହଳ ପଡି ଯାଇଛି।

ସୂଚନା ଅନୁଯାୟୀ ଜହାଙ୍ଗୀରପୁରୀର ବ୍ଲକ ସିରେ ଶନିବାର କରୋନା ଭାଇରସ୍‌ର ୩୧ ଜଣ କୋଭିଡ୍-୧୯ ଚିହ୍ନଟ ହେବା ପରେ ପ୍ରଶାସନ ତୁରନ୍ତ ପୂରା ଇଲାକାକୁ ସିଲ୍ କରି ଦେଇଛି। ଉଲ୍ଲେଖନୀୟ ଜହାଙ୍ଗୀରପୁରୀର ଏହି କ୍ଷେତ୍ରକୁ ପୂର୍ବରୁ କଣ୍ଟେନମେଣ୍ଟ ଘୋଷିତ କରାଯାଇଛି।

ସୂତ୍ର ଅନୁଯାୟୀ ଏହି କ୍ଷେତ୍ରରେ କିଛି ଦିନ ପୂର୍ବେ କରୋନାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ଉକ୍ତ ମହିଳାଙ୍କ ପରିବାର ସଂସ୍ପର୍ଶରେ ଥିଲେ। ହେଲେ ମହିଳାଙ୍କୁ ପରିବାରକୁ ପୂର୍ବରୁ କ୍ଵାରେଣ୍ଟାଇନ୍ କରାଯାଇଛି।

ଉତ୍ତର ଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟ୍ ଦୀପକ ସିନ୍ଧେ କହିଛନ୍ତି ଯେ, ଜହାଙ୍ଗୀରପୁରୀ ବ୍ଲକ ସିରେ କରୋନା ଭାଇରସ୍‌ର ୩୧ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷିତ କରାଯାଇଛି। ଏହି ସବୁ ସଂକ୍ରମିତ କରୋନାରେ ଶିକାର ଜଣେ ମହିଳାଙ୍କ ପରିବାରଙ୍କ ସଂସ୍ପର୍ଶରେ ଥିଲେ।

ରାଜଧାନୀରେ ଏ ପର୍ଯ୍ୟନ୍ତ ମୋଟ୍ ୧୭୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଶୁକ୍ରବାର ୬୭ ରିପୋର୍ଟ ପଜିଟିଭ୍ ଆସିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୬୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ୯୧୧ ରୋଗୀଙ୍କ ଏବେ ମଧ୍ୟ ଚିକିତ୍ସା ଜାରି ରହିଛି। ୨୭ ରୋଗୀ ଆଇସିୟୁରେ ଥିବା ବେଳେ ଛଅ ଜଣ ଭେଣ୍ଟିଲେଟରରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.