ଫେବୃଆରୀରୁ ଦିଲ୍ଲୀରୁ ଉଡ଼ାଣ ଭରିବା ହେବ ମହଙ୍ଗା, ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨/୦୧: କରୋନା ମହାମାରୀ ପାଇଁ ବେସାମରିକ ଚଳାଚଳ ବିଭାଗ ଘାଟା ସହିଛି। ଏବେ ଏହି କ୍ଷତିର ଭରଣା କରିବେ ଯାତ୍ରୀ ! ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ କରୁଥିବା ଯାତ୍ରୀଙ୍କୁ ଲାଗିବାକୁ ଯାଉଛି ଝଟ୍‌କା। ଆସନ୍ତା ମାସରୁ ଯାତ୍ରୀଙ୍କ ଉପରେ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ଲିମିଟେଡ୍‌ (ଡିଆଇଏଏଲ୍‌) ଅତିରିକ୍ତ ଶୁଳ୍କ ଲଗାଇବ। ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଏୟାରପୋର୍ଟ ଇକୋନୋମି ରେଗୁଲେଟୋରି ଅଥରିଟି(ଏଇଆରଏ) ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛି।

କୌଣସି ଯାତ୍ରୀ ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିଲେ ତାଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। ଫେବୃଆରୀ ପହିଲାରୁ ଏହି ଚାର୍ଜ ଲାଗିବାକୁ ଥିବା ବେଳେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ ଥିବା ଯାତ୍ରୀ ୬୫.୯୮ ଟଙ୍କା ସହ ତମାମ ଶୁଳ୍ମ ମଧ୍ୟ ଦେବେ।ଏହା ପରେ ଏପ୍ରିଲ୍‌ ୨୦୨୧ରୁ ଏହି ଚାର୍ଜରେ ହ୍ରାସ ଘଟିବ। ୨୦୨୧-୨୨ ବର୍ଷରେ ୫୩ ଟଙ୍କା ଚାର୍ଜ ପଡ଼ିବାକୁ ଥିବା ବେଳେ ୨୦୨୨-୨୩ ପାଇଁ ଚାର୍ଜ ୫୨.୫୬ ଟଙ୍କା ଲାଗିବ। ୨୦୨୩-୨୪ରେ ଯାତ୍ରୀଙ୍କ ପାଖରୁ ଅତିରିକ୍ତ ୫୧.୫୭ ଟଙ୍କା ଆଦାୟ କରାଯିବ।

ଏହା ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟ ଅଥରିଟି ଘରୋଇ ଉଡ଼ାଣ ପାଇଁ ୨୦୦ ଟଙ୍କା ଓ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ୩୦୦ ଟଙ୍କା ଆଦାୟ କରିବାକୁ ପ୍ରସ୍ତାବ ରଖିଥିଲା।  କିନ୍ତୁ ଏହାକୁ ଏୟାରପୋର୍ଟ ଅଥରିଟି ଗ୍ରହଣ କରିନଥିଲା। ଏପ୍ରିଲ୍‌ ୨୦୨୦ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୩୫୩୮ କୋଟି ଟଙ୍କା କ୍ଷତି ହେବାର ଅନୁମାନ କରାଯାଇଥିବା ନେଇ ଡିଆଇଏଏଲ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲା। ଗତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୪୧୯ କୋଟ ଟଙ୍କା କ୍ଷତି ହୋଇଥିବା ବେଳେ ୨୦୨୧ରେ ୯୩୯ କୋଟି ଟଙ୍କା କ୍ଷତି ହେବ ବୋଲି ମଧ୍ୟ ଆଶଙ୍କା କରିଛି ଡିଆଇଏଏଲ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.