"ଏଲୋପ୍ୟାଥି ଔଷଧ ଖାଇ ଲକ୍ଷ ଲକ୍ଷ ମରିଗଲେ" ରାମଦେବଙ୍କ ବୟାନକୁ ନେଇ ହାଇକୋର୍ଟଙ୍କ ନୋଟିସ୍‌

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ, ୩୦/୦୭: ଯୋଗଗୁରୁ ବାବା ରାମଦେବଙ୍କ ପାଇଁ ପୁଣିଥରେ ଅଡ଼ୁଆ ବଢ଼ିଛି । ପୂର୍ବରୁ ବିବାଦୀୟ ବୟାନ ଦେଇ ଫସିଥିବା ବେଳେ କିଛିଦିନ ତଳେ ଏଲୋପ୍ୟାଥିକୁ ନେଇ ଦେଇଥିବା ବୟାନ ପାଇଁ ଏବେ କୋର୍ଟ ତାଙ୍କୁ ସମନ୍‌ ପଠାଇଛନ୍ତି । ଏଲୋପ୍ୟାଥି ଓୌଷଧ ଖାଇ ଲକ୍ଷେ ଲୋକ ମରିଗଲେ ବୟାନକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ବାବା ରାମଦେବ କୋଭିଡ୍‌-୧୯ର ଚିକିତ୍ସା ପଦ୍ଧତିକୁ ନେଇ ଏଲୋପ୍ୟାଥି ଡାକ୍ତରଙ୍କୁ ସମାଲୋଚନା କରିଥିଲେ । ମିଛ ସୂଚନା ଲୋକଙ୍କ ଆଗରେ ପ୍ରକାଶ କରିବାକୁ ନେଇ କୋର୍ଟ ତାଙ୍କୁ ଏହି ନୋଟିସ୍‌ ଦେଇଥିବା ଜଣାପଡ଼ିଛି । ମାମଲାର ଶୁଣାଣୀ ୧୦ ଅଗଷ୍ଟରେ ହେବା ନେଇ ସମ୍ଭାବନା ରହିଥିବା ଜଣାପଡ଼ିଛି ।

ରାମଦେବଙ୍କ ଏହି ଟିପ୍ପଣୀର ଏକ ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଥିଲା । ଏହାପରେ ସେ ନିଜ ବୟାନ ଫେରାଇ ନେଇଥିଲେ । ଭିଡିଓଟିରେ ସେ କରୋନା ଭାଇରସ୍‌ର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କିଛି ଔଷଧ ବିଷୟରେ କହୁଥିବା ଦେଖାଯାଇଥିଲା । ଏଥିରେ ସେ ଏଲୋପ୍ୟାଥି ଔଷଧ ଖାଇ ଲକ୍ଷେ ଲୋକ ମରିଯାଇଥିବା କହିଥିଲେ ।

ଏହି ଟିପ୍ପଣୀକୁ ଏଲୋପ୍ୟାଥି ଡାକ୍ତର ସଂଘ ଜୋରଦାର ବିରୋଧ କରିଥିଲେ । ଡାକ୍ତରଙ୍କ ଆନ୍ଦୋଳନ ପରେ ତତ୍‌ତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏହାକୁ ବହୁତ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହିତ ବୟାନ ଫେରାଇ ନେବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.