'ଘୁଂଘଟ କି ଆଡ ସେ ଦିଲବର କା...', ୫ଜି ଉପରେ ହାଇକୋର୍ଟରେ ଚାଲିଥିଲା ଶୁଣାଣି, ବାଜି ଉଠିଲା ଜୁହି ଚାଓ୍ଵଲାଙ୍କ ଫିଲ୍ମର ଗୀତ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୦୨।୦୬: ୫ଜି ଟେକ୍ନୋଲୋଜି ବିରୋଧରେ ଅଭିନେତ୍ରୀ ଜୁହି ଚାଓ୍ଵଲାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ବୁଧବାର ଶୁଣାଣି ହୋଇଛି। ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଅଦାଲତ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ୫ଜିକୁ ନେଇ ସକରାରଙ୍କ ସହ ଯୋଗାଯୋଗ ନକରି ସିଧାସଳଖ ମାମଲାକୁ ନେଇ କୋର୍ଟକୁ ଆସିବାର କଣ ଆବଶ୍ୟକତା ଥିଲା?

ବିଚାରପତି ଆର ମିଢାଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି। ଏହା ପୂର୍ବରୁ କୋର୍ଟ ଆଜି ନିଜ ପକ୍ଷ ରଖିବା ପାଇଁ ଜୁହି ଚାଓ୍ଵଲାଙ୍କୁ ଏକ ସଂକ୍ଷିପ୍ତ ନୋଟ୍ ଉପସ୍ଥାପନ କରିବାକୁ ଆଦେଶ ମଧ୍ୟ ଦେଇଥିଲେ। ଦୂରସଞ୍ଚାର ବିଭାଗ ପକ୍ଷରୁ ଓକିଲ ଅମିତ୍ ମହାଜନଙ୍କୁ ମଧ୍ୟ ଦେଢ ପୃଷ୍ଠାର ନୋଟ୍ ଉପସ୍ଥାପନ କରିବାକୁ କୋର୍ଟ ଅନୁମତି ଦେଇଥିଲେ। ଅପରାହ୍ନ ୩ଟାରେ ମାମଲାର ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

କିନ୍ତୁ ଶୁଣାଣି ସମୟରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି। ଯେଉଁଥିପାଇଁ କୋର୍ଟର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିଲା, ହେଲେ ଏହି ସମୟରେ କୌଣସି ଜଣେ ବ୍ୟକ୍ତି  ଜୁହି ଚାଓ୍ଵଲାଙ୍କ ଫିଲ୍ମର ଏକ ଗୀତ ଗୁଣୁ ଗୁଣାଇବାରେ ଲାଗିଥିଲେ। ଏହି କାରଣରୁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଥିଲା।  ଉକ୍ତ ବ୍ୟକ୍ତି ଜୁହିଙ୍କ ଫିଲ୍ମର ଏକ ଗୀତ 'ଘୁଂଘଟ କି ଆଡ ସେ ଦିଲବର କା...' ଗାଇବାରେ ଲାଗିଥିଲେ। ଏହା ପରେ ଜୁହିଙ୍କ ଅନ୍ୟ ଫିଲ୍ମର ମଧ୍ୟ ଗୀତ ଗାଇଥିଲେ।

ଶୁଣାଣି ବାଧାପ୍ରାପ୍ତ ହେବାରୁ ବିଚାରପତି ଉକ୍ତ ବ୍ୟକ୍ତିଙ୍କ ସ୍ଵର ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଏହା ପରେ କୋର୍ଟ କାର୍ଯ୍ୟ ସ୍ଵଭାବିକ ହୋଇଥିଲା। ମାମଲାର ଶୁଣାଣି ପରେ କୋର୍ଟ ଗୀତ ଗାଇ ଅଦାଲତର କାମରେ ବାଧା ଦେଇଥିବା ବ୍ୟକ୍ତିଙ୍କ ଚିହ୍ନଟ କରିବାକୁ ଆଦେଶ ଦେଇଛନ୍ତି। ଏଥିସହ ଅବମାନନା ନୋଟିସ୍ ଜାରି କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.