କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟର କଡା ଭର୍ତ୍ସନା- ସ୍ଥିତି ଉଦ୍‌ବେଗଜନକ, ଆପଣଙ୍କୁ ଷ୍ଟିଲ୍ ପ୍ଲାଣ୍ଟ ଚିନ୍ତା, ତୁରନ୍ତ ହସ୍ପିଟାଲକୁ ଅକ୍ସିଜେନ୍ ସପ୍ଲାଇ କର

Published By : Prameya-News7 Bureau | April 21, 2021 IST

ପାଟନା ୨୧।୦୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ହସ୍ପିଟାଲଗୁଡିକରେ ଅକ୍ସିଜେନର ଅଭାବ ନେଇ ସଙ୍କଟଜନକ ସ୍ଥିତି ଉତ୍ପନ ହୋଇଛି। ଏହା ମଧ୍ୟରେ ବୁଧବାର ଦିଲ୍ଲୀ ମାକ୍ସ ହସ୍ପିଟାଲରେ ଅକ୍ସିଜେନ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଦାଖଲ ଆବେଦନ ଉପରେ ତୁରନ୍ତ ଶୁଣାଣି ହୋଇଛି। ମାକ୍ସ ହସ୍ପିଟାଲ ଅଭିଯୋଗ କରିଛି ଯେ, ହସ୍ପିଟାଲକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଏମ୍ସ ପଠାଇ ଦିଆଗଲା। ଫଳରେ ରୋଗୀଙ୍କ ଜୀବନ ବିପଦରେ ପଡି ଯାଇଛି। ଏହି ମାମଲାକୁ ନେଇ ମାକ୍ସ ହସ୍ପିଟାଲ କର୍ତ୍ତୃପକ୍ଷ  ଦିଲ୍ଲୀ ହାଇକୋର୍ଟର ଦ୍ଵାରସ୍ଥ ହୋଇ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି।

ମାମଲା ଉପରେ ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ଚାହିଦା ଏବଂ ଯୋଗାଣ ମଧ୍ୟରେ ଆପଣଙ୍କ କୌଣସି ଅନୁମାନ ଅଛି କି ନାହିଁ ? କେନ୍ଦ୍ର ଯଥା ଶୀଘ୍ର ହସ୍ପିଟାଲଗୁଡିକୁ ଅକ୍ସିଜେନ୍ ଯୋଗାଇବା ପାଇଁ ରୋଡ୍‌ରେ କରିଡର କରିବା ଏବଂ ଯଦି ସମ୍ଭବ ଏୟାରଲିଫ୍ଟ କରାଇବାକୁ ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ଶିଳ୍ପାଞ୍ଚଳରେ  ବ୍ୟବହାର ହେବାକୁ ଥିବା ଅକ୍ସିଜେନ୍‌ ଯୋଗାଣକୁ ତୁରନ୍ତ ରୋକାଯାଉ। ଲୋକଙ୍କୁ ଏମିତି ମରିବା ପାଇଁ ଛାଡି ଦିଆଯାଇ ପାରିବ ନାହିଁ। ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହା ଲୋକଙ୍କ ଜୀବନର ମୌଳିକ ଅଧିକାର। ଆପଣ ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ କଣ କରୁଛନ୍ତି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।

କୋର୍ଟ କହିଛନ୍ତି, ଅକ୍ସିଜେନ୍ କେବଳ ସେହି ଇଣ୍ଡଷ୍ଟ୍ରୀକୁ ମିଳୁ ଯିଏ ଡାକ୍ତରୀ ଉପକରଣ ପ୍ରସ୍ତୁତ କରୁଛି। ବାକି ଷ୍ଟିଲ୍, ପେଟ୍ରୋଲିୟମ ପରି ଇଣ୍ଡଷ୍ଟ୍ରୀରେ ତୁରନ୍ତ ଅକ୍ସିଜେନ୍ ଯୋଗାଣ ବନ୍ଦ କରାଯାଉ। ହାଇକୋର୍ଟ କହିଛନ୍ତି, ଆମେ ଆଶ୍ଚର୍ଯ୍ୟ ଯେ, ଗତକାଲି ଆଦେଶ ଦେବା ପରେ ବି ହସ୍ପିଟାଲଗୁଡିକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.