ଘୁଞ୍ଚିଲା ‘ଫାଶୀ’, ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ୍ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରୋକ୍
16/01/2020 at 3:49 PM

ନୂଆଦିଲ୍ଲୀ ୧୬।୧: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ମୁକେଶ କୁମାରଙ୍କ ପିଟିସନ ଉପରେ ଗୁରୁବାର ଦିଲ୍ଲୀ ପାଟିଆଲା ହାଉସ୍କୋର୍ଟ ଶୁଣାଣି କରିଛନ୍ତି। ଦୋଷୀ ମୁକେଶ କୋର୍ଟଙ୍କ ଦ୍ୱାରା ଜାରି ଡେଥ୍ ୱାରେଣ୍ଟ ଉପରେ ତୁରନ୍ତ ରହିତା ଦେଶ ଲାଗି ନିମନ୍ତେ ନିବେଦନ କରିଥିଲେ। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି। ଫଳରେ ନିର୍ଭୟା ଦୋଷୀଙ୍କୁ ଆଉକିଛି କାଳ ରିହାତି ମିଳିଯାଇଛି।

ଏଥିଲାଗି ମୁକେଶଙ୍କ ପକ୍ଷରୁ କରାଯାଇଥିବା ନିବେଦନରେ ସେ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରିଥିବା ଦର୍ଶାଇଛନ୍ତି। ଏଣୁ ତାଙ୍କର ନିବେଦନ ଏବେ ବିଚାର ଅପେକ୍ଷାରେ ଥିବା ବେଳେ କୋର୍ଟ ଜାନୁୟାରୀ ୨୨ରେ ସେମାନଙ୍କୁ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ସୂଚିତ କରିଥିଲେ। ଏଣୁ କୋର୍ଟଙ୍କୁ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଲାଗି ମୁକେଶ ନିବେଦନରେ ପ୍ରାର୍ଥନା କରିଥିବା ବେଳେ କୋର୍ଟ ମଞ୍ଜୁର କରିଛନ୍ତି। ବିଚାରପତି କହିଛନ୍ତି ଯେ ଜାନୁୟାରୀ ୨୨ରେ ସେମାନଙ୍କ ଦଣ୍ଡ ପାଳିତ ହୋଇ ନାହିଁ ଏବେ ଜେଲ ଅଧିକାରୀ କୋର୍ଟକୁ ଜଣାଇବେ।

ମୁକେଶ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ ରିବାକା ଜନ ପିଟିସନ ଦାୟର କରିଥିଲେ ଓ କହିଥିଲେ ଯେ ଗତ ଜାନୁୟାରୀ ୭ ତାରିଖ ଦିନ କୋର୍ଟ ଦେଇଥିବା ଆଦେଶ ଏଯାଏଁ ପାଳନ କରାଯାଇନାହିଁ। ଯଦି କୋର୍ଟଙ୍କ ୧୮ ଡିସେମ୍ବର ଆଦେଶାନୁସାରେ କ୍ଷମା ନିବେଦନ ଲାଗି ୭ ଦିନିଆ ନୋଟିସ୍ ଜାରି ହୋଇଥାନ୍ତା ତେବେ ଡିସେମ୍ବର ୨୫ରେ ସେମାନଙ୍କର ଅବଧି ସମାପ୍ତ ହୋଇଯାଇଥାନ୍ତା। ତେବେ ଅପରାଧୀଙ୍କୁ ଭେଟିବା ଲାଗି ଆମିକସଙ୍କୁ ଡିସେମ୍ବର ୩୦ ତାରିଖରେ ଅନୁମତି ମିଳିଥିଲା। ଆମିକସ୍ ସେମାନଙ୍କୁ ଭେଟିବା ବେଳେ ଅପରାଧୀ ଏକ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚାହୁଁଥିବା ଜଣାଇଥିଲେ।

ଓକିଲ କହିଥିଲେ ଯେ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଡକ୍ୟୁମେଣ୍ଟ ମିଳିବାର ୨ ଦିନ ମଧ୍ୟରେ କ୍ୟୁରେଟିଭ ପିଟିସନ ଦାଖଲ ହୋଇଥିଲା। ତେବେ ଏହି ପଟିସନ କୋର୍ଟ ଅଗ୍ରାହ୍ୟ କରିବାରୁ ଆମେ ଦିନଟିଏ ବି ବିଳମ୍ବ ନ କରି କ୍ଷମା ନିବେଦନ କରିଛୁ। ଏଥିରେ ରାଷ୍ଟ୍ରପତିଙ୍କୁ ଆବେଦନ ଉପରେ ବିଚାର କରିବା ଲାଗି ନିବେଦନ କରାଯାଇଛି । କ୍ଷମା ନିବେଦନର ବିଚାର ରାଷ୍ଟ୍ରପତିଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ଏଣୁ ରାଷ୍ଟ୍ରପତି ଏ ଦିଗରେ କୌଣସି ସ୍ପଷ୍ଟ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଜାରି ହେବା ନିତ୍ୟାନ୍ତ ଜରୁରି ବୋଲି ଓକିଲ କୋର୍ଟଙ୍କୁ କହିଥିଲେ।

ତେବେ ଅପରାଧୀଙ୍କ ପକ୍ଷରୁ ଆପଣଙ୍କ ଅପିଲ ଏପ୍ରିଲ ୨୦୧୭ରେ ଅଗ୍ରାହ୍ୟ ହୋଇଯାଥିଲା ବୋଲି ବିଚାରପତି କହିଥିଲେ। ତଥାପି ବି ଆପଣ ଅଢେଇ ବର୍ଷକାଳ କରୁଥିଲେ କ’ଣ ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଅପରାଧୀଙ୍କ ପକ୍ଷରୁ କ୍ୟୁରେଟିଭ ଦୂରର କଥା ଏକ ସମୀକ୍ଷା ନିବେଦନ ବି ଫାଇଲ କିପରି ହୋଇନଥିଲା ବୋଲି କୋର୍ଟ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ଦୋଷୀଙ୍କୁ କୋର୍ଟକୁ ଯିବାଲାଗି ଯଥେଷ୍ଟ ସମୟ ମିଳିଥିଲା। ହେଲେ ସେମାନେ ସେମାନଙ୍କର ସମୟର ସଦୁପଯୋଗ କରିନାହାନ୍ତି ବୋଲି କୋର୍ଟ କହିଛନ୍ତି।

ମାମଲାରେ ଦିଲ୍ଲୀ ସରକାର କୋର୍ଟଙ୍କୁ ଦେଇଥିବା ରିପୋର୍ଟ ତର୍ଜମା ହୋଇଥିଲା । ଏଥିରେ ଦିଲ୍ଲୀ ସରକାର ମୁକେଶ କରିଥିବା କ୍ଷମା ନିବେଦନକୁ ସରକାର ଅଗ୍ରାହ୍ୟ କରି ଉପରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ଏ ନେଇ କୋର୍ଟ ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁକହିଥିବା ବେଳେ ଏବେ ଦିଲ୍ଲୀ ସରକାର ଓ ଜେଲ ବିଭାଗ କୋର୍ଟଙ୍କୁ ସମସ୍ତ ସୂଚନା ପ୍ରଦାନ କରିବେ। ସରକାର ଓ ଜେଲ ବିଭାଗ ଏ ନେଇ କୋର୍ଟଙ୍କୁ ଶୁକ୍ରବାର ରିପୋର୍ଟ ପ୍ରଦାନ କରିବେ।

ନିୟମାନୁସାରେ ବନ୍ଦୀମାନଙ୍କୁ ଦଣ୍ଡ ପାଳନ ପୂର୍ବରୁ ୧୪ ଦିନ ସମୟ ପ୍ରଦାନ କରାଯିବ। ଯଦି ରାଷ୍ଟ୍ରପତି କ୍ଷମାନିବେଦନ ଅଗ୍ରାହ୍ୟ ବି କରନ୍ତି ତେବେ ଏଥିଲାଗି ନୂଆ ୱାରେଣ୍ଟ ବାହାର କରିବାକୁ ଜେଲ ବିଭାଗ ପୁଣି କୋର୍ଟକୁ ଯିବ। ଏଣୁ ନିର୍ଭୟା ଦୋଷୀଙ୍କୁ ଜାନୁୟାରୀ ୨୨ ତାରିଖରେ ଦଣ୍ଡିତ କରାଯାଇପାରିବନାହିଁ ବୋଲି କହିଛନ୍ତି କୋର୍ଟ।