ତିହାରରେ କଟିବ ଚିଦାମ୍ବରମଙ୍କ ୭୪ତମ ଜନ୍ମ ଦିବସ, କୋର୍ଟ କହିଲେ ହେବନି ପକ୍ଷପାତିତା, ଜେଲରେ ମିଳିବନି ଘର ରନ୍ଧା ଖାଦ୍ୟ

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ :  ଆଇଏନଏକ୍ସ ମିଡିଆ ମାମଲାରେ ଫଶିଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜେଲରେ ତାଙ୍କ ଘର ରନ୍ଧା ଖାଦ୍ୟ ଖାଇବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଲେନି। ଗୁରୁବାର କୋର୍ଟରେ ଚିଦାମ୍ବରମଙ୍କ ନିୟମିତ ଜାମିନ ନିବେଦନର ଶୁଣାଣି ବେଳେ କୋର୍ଟ ବିଚାରବିଭାଗୀୟ ହାଜତରେ କୌଣସି ପକ୍ଷପାତିତା କରାଯାଇପାରିବ ନାହିଁ ବୋଲି କହିଛନ୍ତି। ଏହା ଛଡା ମାମଲାରେ ସିବିଆଇକୁ ସପ୍ତାହକ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଚିଦାମ୍ବରମ ଜେଲରେ ତାଙ୍କର ୭୪ତମ ଜନ୍ମଦିନ କଟେଇବା ନିଶ୍ଚିତ ହୋଇଯାଇଛି।

{"id":156874}

ଆସନ୍ତା ୧୬ ତାରିଖ ସୋମବାର ଚିଦାମ୍ବରମଙ୍କ ଜନ୍ମଦିନ। ତେବେ ସେତେବେଳକୁ ତାଙ୍କର ଜାମିନ ହୋଇନଥିବ। ଏଣୁ କୋର୍ଟରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ତାଙ୍କ ବୟସ ଦୃଷ୍ଟିରୁ ତାଙ୍କୁ ଘର ରନ୍ଧା ଖାଦ୍ୟ ଖାଇବା ଲାଗି ଅନୁମତି ଦେବାକୁ ନିବେଦନ କରିଥିଲେ। ତେବେ ସୋଲିସିଟର ଜେନେରାଲ ତୁଷାର ମେହେଟା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଉଦାହରଣ ଦେଇଥିଲେ। ଚୌଟାଲା ବି ବୃଦ୍ଧ ହେଲେଣି ଓ ସେ ମଧ୍ୟ ଜେଲରେ ଅଛନ୍ତି ବୋଲି କହିଥିଲେ ସୋଲିସିଟର ଜେନେରାଲ। ଏଣୁ କୋର୍ଟ ପ୍ରସଙ୍ଗରେ ପକ୍ଷପାତ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।  

{"id":156875}

ଗୁରୁବାର କୋର୍ଟ ଉଭୟପକ୍ଷଙ୍କ ତର୍କ ଶୁଣିବା ପରେ ଚିଦାମ୍ବରମଙ୍କ ଆତ୍ମସମର୍ପଣ ନିବେଦନ ଉପରେ ଆଦେଶକୁ ସଂରକ୍ଷିତ ରଖିଛନ୍ତି। ହୁଏତ ଏହି ଆଦେଶ ଶୁକ୍ରବାର ଜାରି ହୋଇପାରେ। ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କା ନେବା ଲାଗି ୨୦୦୭ ମସିହାରେ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡରୁ ଅନୁମତି ପ୍ରଦାନ କରିଥିଲେ। ଏଥିଲାଗି ସେ ବିପୁଳ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଇଡି ବି ମନିଲଣ୍ଡ୍ରିଂ ମାମଲାରେ ତାଙ୍କୁ ପଚରା ଉଚରା କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.