ପୁଣି ଥରେ ବିଗିଡିଲା ସ୍ଵାସ୍ଥ୍ୟବସ୍ଥା, ଅକ୍ସିଜେନ୍ ସପୋର୍ଟରେ ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬: ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଉଲ୍ଲେଖନୀୟ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ଦୁଇ ଦିନ ପୂର୍ବେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଶୁକ୍ରବାର ପୁଣି ଥରେ ଜୈନଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏହା ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି। ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। କୁହଯାଉଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ମାତ୍ରା ଅଧିକ ବଢି ଯାଇଛି। ଏହି କାରଣରୁ ତାଙ୍କୁ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ ହେଉଛି।

ସୂଚନାଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ କିଛି ଦିନ ପୂର୍ବେ ଜ୍ଵର ଏବଂ ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ପ୍ରଥମ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ କିନ୍ତୁ ଦ୍ଵିତୀୟ ରିପୋର୍ଟ ପଜିଟିଭ୍ ଆସିଥିଲା।

କରୋନା ପଜିଟିଭ୍ ହେବା ପୂର୍ବରୁ ଜୈନ କ୍ରମାଗତ ବୈଠକରେ ଯୋଗ ଦେଇଥିଲେ। ଦିଲ୍ଲୀ ପ୍ରସଙ୍ଗରେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ।

ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବ୍ୟତୀତ ଆମ୍‌ ଆଦମୀ ପାର୍ଟି(AAP)ର ନେତା ତଥା କାଲକାଜି ବିଧାନସଭା କ୍ଷେତ୍ରର  ବିଧାୟିକା ଆତିଶି ମଧ୍ୟ କରୋନା ଶିକାର। ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.