ଦିଲ୍ଲୀରେ କରୋନାର ତୃତୀୟ ଲହର ? ପ୍ରଥମ ଥର ଗୋଟିଏ ଦିନରେ ୫ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: ପାର୍ବଣ ଋତୁରେ ଦେଶର ରାଜଧାନୀ କଣ କରୋନା ସଂକ୍ରମଣର ତୃତୀୟ ଲହରର ସମ୍ମୁଖୀନ ହୋଇଛି ? ଅତି କମରେ ତଥ୍ୟ ଏହି ଦିଗ ପ୍ରତି ଇସାରା କରୁଛି। ବୁଧବାର ପ୍ରଥମ ଥର ଦିଲ୍ଲୀରେ ଗୋଟିଏ ଦିନରେ ୫ ହଜାରରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ନୀତି ଆୟୋଗର ସଦସ୍ୟ ଭିକେ ପଲ୍ କହିଥିଲେ, ଦିଲ୍ଲୀ,କେରଳ ଓ ପଶ୍ଚିମବଙ୍ଗ ସଂକ୍ରମଣର ତୃତୀୟ ଲହର ଅଭିମୁଖେ ବଢୁଛନ୍ତି।

ଦିଲ୍ଲୀରେ କରୋନାର ନୂତନ ସଂକ୍ରମଣ କେସ୍ ଜୁଲାଇ ମାସରେ କମ ହେବାରେ ଲାଗିଥିଲା। ସମୟ ଏମିତି ଥିଲା ସକ୍ରିୟ କେସ୍‌ ସଂଖ୍ୟା ୧୦ ହଜାରରୁ କମ ରହିଥିଲା।  ଏହା ପରେ କରୋନ ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଛି। ଚଳିତ ମାସର ପ୍ରାରମ୍ଭରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦାବି କରିଥିଲେ ଯେ, ରାଜଧାନୀରେ କରୋନାର ଦ୍ଵିତୀୟ ଲହରର ଚରମ ସୀମା ଅତିକ୍ରମ କରି ସାରିଛି। ମାତ୍ର ବର୍ତ୍ତମାନ ଅଚାନକ ଗତ କିଛି ଦିନରେ ନୂତନ ସଂକ୍ରମଣ ଦ୍ରୁତ ଗତିରେ ବଢିବା ଚିନ୍ତାର ବିଷୟ ପାଲଟିଛି। ସରକାରୀ ଭାବେ କିଛି କୁହାଯାଇନଥିଲେ ବି ତଥ୍ୟ ଏହି ଦିଗ ପ୍ରତି ଇସାରା କରୁଛି ଯେ ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇ ସାରିଛି।

ଦିଲ୍ଲୀରେ ଗତ କିଛି ଦିନରେ କରୋନା ସଂକ୍ରମଣ ଅଚାନକ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ବୁଧବାର ଦିଲ୍ଲୀରେ କୋଭିଡ୍-୧୯ର ୫,୬୭୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଗୋଟିଏ ଦିନରେ ଏ ପର୍ଯ୍ୟନ୍ତର ସବୁଠୁ ରେକର୍ଡ। ଏହା ସହିତ ଦିଲ୍ଲୀରେ କରୋନାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୦ ହଜାରରୁ ଅଧିକ ରହିଛି। ଦିଲ୍ଲୀରେ ବୁଧବାର ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଷ୍ଟ୍ରୀୟ ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୩୯୬ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.