ପତ୍ନୀଙ୍କ ଭରଣପୋଷଣ ଓ ତାଙ୍କୁ ଆର୍ଥିକ ସହାୟତା ସ୍ୱାମୀଙ୍କ କର୍ତ୍ତବ୍ୟ : ଦିଲ୍ଲୀ ହାଇକୋର୍ଟ
6/04/2021 at 10:57 PM

ନୂଆଦିଲ୍ଲୀ ୬।୪: ପତ୍ନୀଙ୍କ ଭରଣପୋଷଣ ନେଇ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ପତ୍ନୀଙ୍କ ଭରଣ ପୋଷଣ ଓ ନିଜ ପିଲାମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ସ୍ୱାମୀଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି କୋର୍ଟ । କେବଳ ଏତିକି ନୁହେଁ ପତ୍ନୀ ଓ ପିଲାଙ୍କ ଦେଖାଶୁଣା ଦାୟିତ୍ୱରୁ ମଧ୍ୟ ସ୍ୱାମୀ ଓହରି ପାରିବେନି ବୋଲି କହିଛନ୍ତି। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ମାମଲାରେ ନିମ୍ନ ଅଦାଲତଙ୍କ ରାୟ କାୟମ ରଖିଛନ୍ତି।
ମାମଲାର ରାୟ ଘୋଷଣା କରି ବ୍ୟକ୍ତି ତାଙ୍କ ସପକ୍ଷରେ କୌଣସି ପ୍ରକାର ପ୍ରତିକୂଳତା ଅଥବା ସମସ୍ୟା ପ୍ରମାଣିତ କରିପାରି ନାହାନ୍ତି। ସେହିପରି ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବ୍ୟକ୍ତି ପେଷାରେ ଜଣେ ପୋଲିସ କର୍ମଚାରୀ ଓ ଭଲ ଆୟ ମଧ୍ୟ କରୁଛନ୍ତି। ଏହାର ବିପରୀତ ପତ୍ନୀଙ୍କ ଆୟର କୌଣସି ସ୍ଥାୟୀ ସୂତ୍ର ନାହିଁ। ଅନ୍ୟପକ୍ଷରେ ପ୍ରତିବାଦୀ ନିଜର ଖର୍ଚ୍ଚ ତୁଲେଇପାରିବେ ସେ ନେଇ କୌଣସିଠାରେ ରେକର୍ଡ ନାହିଁ ବୋଲି ବିଚାରପତି କହିଛନ୍ତି।
ଏହି ଦମ୍ପତ୍ତି ୧୯୮୫ ମସିହାରେ ବିବାହ କରିଥିଲେ। ବିବାହରୁ ସେମାନଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ଗତ ୨୦୧୦ ମସିହାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ୨ ପୁଅ ସାବଳକ ହୋଇଗଲେଣି। ୨୦୧୨ ମସିହାରୁ ସ୍ୱାମୀସ୍ତ୍ରୀ ପୃଥକ ରହୁଛନ୍ତି। ସ୍ୱାମୀ ତାଙ୍କପ୍ରତି ନିର୍ଯାତନା ଦେଉଥିବା ବେଳେ ଘରୁ ବାହାର କରିଦେଇଥିବାର ମହିଳା ଅଭିଯୋଗ କରିଥିଲେ। ଯେହେତୁ ମହିଳା ନିଜର ଭରଣ ପୋଷଣରେ ଅସମର୍ଥ ଏଣୁ ସ୍ୱାମୀଙ୍କ ସୂତ୍ରରୁ ତାଙ୍କୁ ଭରଣପୋଷଣ ଦେବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।