ରାମଦେବଙ୍କୁ ହାଇକୋର୍ଟଙ୍କ ତାଗିଦ୍–ଏଲୋପ୍ୟାଥିକୁ ନେଇ କୁହନି ଏଣୁତେଣୁ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୩।୬: ଡାକ୍ତରୀ ଚିକିତ୍ସା ବ୍ୟବସ୍ଥାକୁ ନେଇ ବାବା ରାମଦେବଙ୍କ ବୟାନ ମାମଲାର ଦିଲ୍ଲୀ ହାଇକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ଏଥିରେ ରାମଦେବଙ୍କୁ କୋର୍ଟ ଏଲୋପ୍ୟାଥି ଚିକିତ୍ସାକୁ ନେଇ ବୟାନବାଜୀ ବନ୍ଦ କରନ୍ତୁ ବୋଲି ତାଙ୍କ ଓକିଲଙ୍କ ମାଧ୍ୟମରେ ଜଣାଇଦେଇଛନ୍ତି। ମାମଲାରେ ନ୍ୟାୟାଳୟ କୌଣସି ଆଦେଶ ଜାରି କରି ନାହାନ୍ତି। ତେବେ ଅଦାଲତଙ୍କ ଆଦେଶକୁ ତାଙ୍କ କ୍ଲାଏଣ୍ଟ ସମ୍ମାନ କରିବେ ବୋଲି ଓକିଲ କୋର୍ଟଙ୍କୁ କହିଛନ୍ତି।

କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ଏଲୋପ୍ୟାଥି ଚିକିତ୍ସା ବ୍ୟବସ୍ଥାକୁ ନେଇ ଯୋଗଗୁରୁ ବାବା ରାମଦେବ ଅଙ୍ଗୁଳି ଉଠାଇଥିଲେ। ଏହାକୁ ନେଇ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗୁରୁବାର ଏହାର ଶୁଣାଣି ହୋଇଛି। ଏଥିରେ ଏଲୋପ୍ୟାଥି ଏତେ କମଜୋର ବିଜ୍ଞାନ କି ବୋଲି କୋର୍ଟ ଡିଏମଏକୁ ପ୍ରଶ୍ନ କରିଥିବା ବେଳେ କେହି କିଛି ମନ୍ତବ୍ୟ ଦେଲେ କୋର୍ଟରେ ମୋକଦ୍ଦମା ରୁଜୁ କରିବା ଜରୁରି କି ବୋଲି ପଚାରିଛନ୍ତି। 

ତେବେ ମାମଲାରେ କୋର୍ଟ ବାବା ରାମଦେବଙ୍କ ସମେତ ତମାମ ପକ୍ଷଧରଙ୍କ ଜବାବ ଚାହିଁଛନ୍ତି। ଏଥିଲାଗି କୋର୍ଟ ମାମଲା ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଜବାବ ଦାଖଲ ଲାଗି ୩ ସପ୍ତାହ ସମୟ ଦେଇଛନ୍ତି। ମାମଲାର ଆଗାମୀ ଶୁଣାଣି ଲାଗି  ହାଇକୋର୍ଟ ଜୁଲାଇ ୧୩ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଭବିଷ୍ୟତରେ ରାମ ଦେବ ଏପରି କୌଣସି ମତ ମନ୍ତବ୍ୟ ଦେବେ ନାହିଁ ବୋଲି ତାଙ୍କ ଓକିଲଙ୍କ ଠାରୁ କୋର୍ଟ ପ୍ରତିଶ୍ରୁତି ଚାହିଁଥିବା ବେଳେ ସେ ଏପରି କିଛି କରିବେନି ବୋଲି ତାଙ୍କ ଓକିଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.