କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ୍, ଯଦି ଟିକା ନାହିଁ ଡାୟଲର ଟ୍ୟୁନ୍‌ରେ କାହିଁକି ବଜାଉଛ ଟିକାକରଣର ଟେପ୍ ?

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୫:  କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଲୋକଙ୍କୁ ଟିକାକରଣ ନିମନ୍ତେ ମୋବାଇଲ ଫୋନରେ କେନ୍ଦ୍ର ସରକାରଙ୍କ ଡାୟଲର ଟ୍ୟୁନ୍‌ ଅନୁରୋଧକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ସମାଲୋଚନା କରିଛନ୍ତି। କୋର୍ଟ କହିଛନ୍ତି ‘ଜଣା ନାହିଁ କେବେଠୁ ଏପରି ହଇରାଣ କରୁଥିବା ବାର୍ତ୍ତା ବାଜୁଛି ଓ ଲୋକଙ୍କୁ ଟିକା ନେବାକୁ କହୁଛି’। ପର୍ଯ୍ୟାପ୍ତ ଟିକା ଉପଲବ୍ଧ ନଥିବା ବେଳେ ଏଭଳି ଡାୟଲର ଟ୍ୟୁନ୍‌ର ଅର୍ଥ କ’ଣ ହୋଇପାରେ ବୋଲି କୋର୍ଟ କେନ୍ଦ୍ରକୁ ପଚାରିଛନ୍ତି।

ବିଚାରପତି ଜଷ୍ଟିସ୍‌ ବିପିନ ସାଂଘୀ ଓ ବିଚାରପତି ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଲୋକେ ମୋବାଇଲ ଫୋନରେ କଲ କରିବା ବେଳେ ‘ଲୋକଙ୍କୁ ଟିକା କରଣ କରିବା ଦରକାର’ ବୋଲି ବାର୍ତ୍ତା ଆପଣ କେବେଠାରୁ ବଜାଇଲେଣି ଆଣେ ଜାଣିନୁ। ହେଲେ ଆପଣ(କେନ୍ଦ୍ର ସରକାର) ଟିକାକରଣ ନ କରି ଲୋକଙ୍କୁ କାହିଁକି ଟିକାକରଣ କରନ୍ତୁ ବୋଲି କହୁଛନ୍ତି ?ଯେତେବେଳେ ଟିକା ହିଁ ନାହିଁ, କିଏ ନେବ ଟିକା ? ଏପରି ବାର୍ତ୍ତାର ଉଦ୍ଦେଶ୍ୟ କଣ? ପ୍ରସଙ୍ଗରେ ସରକାର ନୂଆ କରି ଚିନ୍ତା କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପ୍ରତି ମନ୍ତବ୍ୟ ଦେଇ ପୀଠ ଟିକା ସମସ୍ତଙ୍କୁ ଦିଅନ୍ତୁ, ଦରକାର ପଡିଲେଏଥିଲାଗି ପଇସା ମଧ୍ୟ ନିଅନ୍ତୁ ହେଲେ ଦିଅନ୍ତୁ, ଛୋଟ ପିଲାବି ଏହା କହୁଛନ୍ତି ବୋଲି କହିଛନ୍ତି।  ଡାୟଲର ଟ୍ୟୁନ ପ୍ରସଙ୍ଗରେ ସରକାର ଏଥିଲାଗି ଅଲଗା ଅଲଗା ବାର୍ତ୍ତା ଦେବା କଥା। ହେଲେ ସବୁଦିନ ସବୁ ସମୟରେ ଗୋଟିଏ କଥା ହିଁ ଶୁଣାଯାଉଛି। ଏହି ଟେପ୍‌ ସମ୍ପୂର୍ଣ୍ଣ ଘୋଷରା ନ ହୋଇଯିବା ଯାଏଁ ୧୦ ବର୍ଷ ପର୍ଯ୍ୟନ୍ତ  ଏହାକୁ ବାଜାଇ ଚାଲୁଥିବେ କି ବୋଲି ପୀଠ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। 

ସରକାର ଯଦି ଜନତାଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଛନ୍ତି ତେବେ ଅଲଗା ଅଲଗା ବାର୍ତ୍ତା ପ୍ରସ୍ତୁତ କରନ୍ତୁ ଓ ଲୋକଙ୍କୁ ସଚେତନ କରନ୍ତୁ। ଏଥିରୁ ଲୋକେ ଲାଭବାନ ହେବେ। ତେବେ କେବଳ ମୋବାଇଲ ଫୋନ ଡାୟଲର ଟ୍ୟୁନ କାହିଁକି, ଟିଭି ପ୍ରଯୋଜକ, ନିର୍ମାତାଙ୍କ ଦ୍ୱାରା ସଚେତନତା ବାର୍ତ୍ତା ମଧ୍ୟ ପ୍ରସ୍ତୁତ କରାଯାଇପାରେ। ଏଥିପାଇଁ ଆବଶ୍ୟକ ହେଲେ ଅମିତାଭ ବଚ୍ଚନଙ୍କ ପରି ଲୋକପ୍ରୀୟ ବ୍ୟକ୍ତିତ୍ୱଙ୍କ ସହାୟତା ମଧ୍ୟ ନିଅନ୍ତୁ ବୋଲି କହିଛନ୍ତି କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.