ଦିଲ୍ଲୀରେ କୋଭିଡ -୧୯ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ : ସରକାରୀ ତଥ୍ୟ ହସ୍ପିଟାଲ ରିପୋର୍ଟ ଅପେକ୍ଷା କମ୍

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ ୧୦/୦୫ : ଦିଲ୍ଲୀ ସରକାର ଦେଇଥିବା ରିପୋର୍ଟ ଅନୁଯାୟୀ କରୋନା ପୀଡିତଙ୍କ ମୃତ୍ୟୁ ସଂଖ୍ୟା ଦୁଇଟି ସିଟି ହସ୍ପିଟାଲ ମୃତ୍ୟୁ ସଂଖ୍ୟା ଠାରୁ କମ୍ | ଦିଲ୍ଲୀ ସରକାରଙ୍କ ତଥ୍ୟ ଅନୁଯାୟୀ ଶୁକ୍ରବାର ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮ ଥିଲା | ଅପରପକ୍ଷରେ ସିଟି ହସ୍ପିଟାଲରେ କରୋନା ମୃତ୍ୟୁ ସଂଖ୍ୟା ୧୦୭ ରହିଛି | ଦିଲ୍ଲୀ ସରକାରଙ୍କ କହିବାନୁଯାୟୀ, ପ୍ରତ୍ୟେକ ମୃତ୍ୟୁକୁ ମୃତ୍ୟୁ କମିଟି ଦ୍ୱାରା ପ୍ରମାଣିତ କରିବାକୁ ପଡିବ ଏବଂ ଏହା ପରେ ଏହା ସ୍ୱାସ୍ଥ୍ୟ ବୁଲେଟିନ୍ ରେ ପ୍ରତିଫଳିତ ହେବ | ଦିଲ୍ଲୀ ସରକାରଙ୍କ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି |

ଦିଲ୍ଲୀ ସରକାରଙ୍କ କହିବାନୁଯାୟୀ, ଶୁକ୍ରବାର ସୁଦ୍ଧା ଡ.ରାମ ମୋହନ ଲୋହିଆ ହସ୍ପିଟାଲରେ ୨୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି | କିନ୍ତୁ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମିନାକ୍ଷୀ ଭରଦ୍ୱାଜ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା ହସ୍ପିଟାଲରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି | ସେ କହିଛନ୍ତି, ହସ୍ପିଟାଲ ଯେଉଁ ତଥ୍ୟ ଦେଇଥାଏ ସରକାର ତାହାକୁ କମ୍ କରି ପ୍ରସାରଣ କରିଥାନ୍ତି | ଏପରିକି କରୋନା ପଜିଟିଭ ମାମଲା ଯେତିକି ଥାଏ ପଜିଟିଭ ସଂଖ୍ୟା ମଧ୍ୟ ସରକାର କମ୍ କରିଦେଇଥାନ୍ତି | ହସ୍ପିଟାଲ ପ୍ରତିଦିନ ସରକାରଙ୍କୁ ତାଜା ଡାଟା ଦେଇଥାଏ କିନ୍ତୁ ସରକାର ସଂଖ୍ୟା କମ୍ କରି ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ କରିଥାନ୍ତି |

ଠିକ୍ ସେହିପରି ଶୁକ୍ରବାର ସୁଦ୍ଧା ଦିଲ୍ଲୀ ସ୍ଥିତ ଲୋକ୍ ନାୟକ୍ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା | କିନ୍ତୁ ହସ୍ପିଟାଲ ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୫୫ ଥିଲା | ହସ୍ପିଟାଲରେ ରିପୋର୍ଟ ହୋଇଥିବା ମୋଟ୍ ପଜିଟିଭ୍ ମାମଲା ସରକାରଙ୍କ ରିପୋର୍ଟ ତୁଳନାରେ ଅଧିକ ରହିଛି | ଦିଲ୍ଲୀ ସରକାରଙ୍କ ରିପୋର୍ଟ ୧୦ଟି ହସ୍ପିଟାଲରୁ ଆସିଛି ଯେଉଁ ୧୦ଟି ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି | ତେବେ ସହରର ଅନ୍ୟ ହସ୍ପିଟାଲ ଯେଉଁଠାରେ କରୋନା ଚିକିତ୍ସା ହେଉନାହିଁ, କିନ୍ତୁ ରୋଗୀ ପ୍ରାଣ ହରାଇବା ପରେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥାଏ ଏବଂ ପରୀକ୍ଷାଫଳ ପଜିଟିଭ ଆସିଥାଏ ସେମାନଙ୍କ ସଂଖ୍ୟା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ |

ଶନିବାର ଦିନ ଏକ ଷ୍ଟେଟମେଣ୍ଟ ଦିଲ୍ଲୀ ସରକାର ଏଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି | ଏହା ସମ୍ପୂର୍ଣ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦିଲ୍ଲୀ ସରକାର କହିଛନ୍ତି | ସେ କହିଛନ୍ତି, ଡାକ୍ତରମାନଙ୍କ ଏକ ଅଡିଟ କମିଟି ରହିଛି ଯାହା କୋଭିଡ-୧୯ ଡାକ୍ତରଖାନା ଦ୍ୱାରା ରିପୋର୍ଟ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିଥାଏ ଏବଂ ପ୍ରତ୍ୟେକ ମୃତ୍ୟୁ ନେଇ ନିଶ୍ଚିତ କରିଥାଏ | ଏହି କମିଟିର କାର୍ଯ୍ୟରେ କୌଣସି ଭୁଲ ହସ୍ତକ୍ଷେପ ନାହିଁ ବୋଲି ସେ କହିଛନ୍ତି |

ଦିଲ୍ଲୀ ସରକାରଙ୍କ ପ୍ରବକ୍ତାଙ୍କ କହିବାନୁଯାୟୀ ମୃତ୍ୟୁ ଅଡିଟ କମିଟିକୁ ଏପ୍ରିଲ ୨୦ ତାରିଖରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଗଠିତ ହୋଇଥିଲା | ପ୍ରତିଦିନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଏନସିଟି ସରକାରଙ୍କୁ ପ୍ରଦାନ କରିବା ଏହି କମିଟିର ଦାୟିତ୍ୱ କମିଟି ଗଠନ ପରେ ସରକାରୀ ସୂତ୍ର ସୂଚନା ଦେଇଥିଲେ | 

ତେବେ ଏପ୍ରିଲ ୨୦ ତାରିଖ ପୂର୍ବରୁ ସରକାରଙ୍କ ଦ୍ୱାରା ମୃତ୍ୟୁ ସଂଖ୍ୟା ବିଷୟରେ ତଥ୍ୟ କିପରି ପ୍ରକାଶ ପାଉଥିଲା ତାହା ମୁଖପାତ୍ର ସ୍ପଷ୍ଟ କରି ନାହାଁନ୍ତି | ତେବେ ସରକାରୀ ତଥ୍ୟ ଏବଂ ହସ୍ପିଟାଲ ତଥ୍ୟ ମଧ୍ୟରେ କାହିଁକି ପାର୍ଥକ୍ୟ ରହୁଛି ସେ ନେଇ ତଦନ୍ତ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଏକ ହସ୍ପିଟାଲ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.