ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଦେଢ ଲକ୍ଷ ଟଙ୍କିଆ ଫ୍ଲାଟରେ ରହିବେ ବସ୍ତିବାସିନ୍ଦା
22/01/2021 at 11:31 AM

ନୂଆଦିଲ୍ଲୀ ୨୨/୦୧ : ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପରିବାର ପାଇଁ ଖୁସି ଖବର । ସେମାନଙ୍କୁ ଥଇଥାନ କରିବା ପାଇଁ କେଜ୍ରିଓ୍ୱାଲ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଞ୍ଚଳରେ ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ୯ ହଜାର ୩୧୫ଟି ଫ୍ଲାଟ୍ ପ୍ରସ୍ତୁତ କରାଯାଇଛି । ସରକାରୀ ଅଧିକାରୀଙ୍କ ଦ୍ୱରା ଚିହ୍ନଟ ବସ୍ତିରେ ରହୁଥିବା ପରିବାରଙ୍କୁ ଏହି ଫ୍ଲାଟ୍ ବାଣ୍ଟିବା ପକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
କେଜ୍ରିଓ୍ୱାଲ କହିଛନ୍ତି ଯେ, ଫ୍ଲାଟ୍ ଆବଣ୍ଟନ ପାଇଁ ଯେଉଁ ସବୁ ଔପଚାରିକତା ରହିଛି ତାହାକୁ ଶୀଘ୍ର ପୂରଣ କରାଯାଉ । ଯାହାଫଳରେ ଶୀଘ୍ର ଲୋକମାନଙ୍କୁ ଫ୍ଲାଟ୍ ଯୋଗାଇ ଦିଆଯାଇପାରିବ । ଏହାଛଡ଼ା ଫ୍ଲାଟଗୁଡିକ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ଭିତରେ କରାଯିବା ସହ ଫ୍ଲାଟ୍ ନିର୍ମାଣ ଚାଲିଥିବା ଜମି ସହ ଜଡ଼ିତ ଅଭିଯୋଗର ଶୀଘ୍ର ସମଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ଲାଟ୍ ଗୁଡିକ ଦେଢ ଲକ୍ଷରୁ ମଧ୍ୟ କମ୍ ଟଙ୍କାରେ ନିର୍ମିତ ହୋଇଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟର ସମୀକ୍ଷା ବୈଠକ ଡକାଇଥିଲେ । ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଉଥିବା ଏହି ଫ୍ଲାଟ୍ ବିଷୟରେ ଆଲୋଚନା କରି ସେ ଏପରି ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସହର ବିକାଶ ମନ୍ତ୍ରୀ ସମେନ୍ଦ୍ର ଜୈନ ଏବଂ ଦିଲ୍ଲୀ ସହର ସୁଧାର ବୋର୍ଡର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।