ଦିଲ୍ଲୀର ଆକାଂଶା ମଧ୍ୟ ନିଟ୍ ପରୀକ୍ଷାରେ ରଖିଛନ୍ତି ଫୁଲ୍ ମାର୍କ୍, କିନ୍ତୁ ଓଡିଆ ପୁଅ ସୋଏବ ହେଲେ ଟପ୍ପର, ଜାଣନ୍ତୁ କାହିଁକି...

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ, ୧୭|୧୦: ଦିଲ୍ଲୀର ଆକାଂଶା ସିଂ ମେଡିକାଲ ଏଣ୍ଟ୍ରାନ୍ସ ନିଟରେ ୭୨୦ରୁ ୭୨୦ ମାର୍କ୍ ରଖିଛନ୍ତି । କିନ୍ତୁ ତାଙ୍କୁ ଟପ୍ ରାଙ୍କ୍ ମିଳିନାହିଁ । ଆକାଂଶାଙ୍କ ବଦଳରେ ଓଡିଆ ପୁଅ ସୋଏବ ଅଫତାବ ଟପ୍ ସ୍ଥାନ ଅକ୍ତିଆର କରିଛନ୍ତି । କାହିଁକି ଆକାଂଶା ଓ ସୋଏବଙ୍କୁ ଯୁଗ୍ମ ଭାବେ ଟପ୍ ରାଙ୍କ୍ ମିଳିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଆସନ୍ତୁ ଜାଣିବା ସମାନ ମାର୍କ ଥାଇ ମଧ୍ୟ କିପରି ସୋଏବ୍ ଟପ୍ କରିଛନ୍ତି ।

ନିଟର ନିୟମ ଅନୁସାରେ, ସମାନ ମାର୍କ ଥିଲେ ପ୍ରଶ୍ନର ଠିକ୍ ଓ ଭୁଲ ଉତ୍ତର ଏବଂ ବୟସକୁ ଆଧାର କରି ରାଙ୍କ୍ ପ୍ରଦାନ କରାଯାଏ । ଏହାସହ ମୁଖ୍ୟତଃ ବାୟୋଲୋଜି ଓ କେମିଷ୍ଟ୍ରୀର(ଟାଇ ବେକିଂ ପଲିସି ) ନମ୍ବରକୁ ନେଇ ମାର୍କ ଦିଆଯାଏ । ପ୍ରଥମେ ବାୟୋଲୋଜି ଓ ପରେ କେମିଷ୍ଟ୍ରି ମାର୍କକୁ ନେଇ ରାଙ୍କ୍ ଦିଆଯାଏ । ଯଦି ଏହି ଦୁଇଟି ବିଷୟରେ ପରୀକ୍ଷାର୍ଥୀଙ୍କ ସମାନ ରହିଲା ତେବେ ବୟସକୁ ଗୁରୁତ୍ୱ ଦିଆଯାଏ ।  ଯାହାର ବୟସ ଅଧିକ ଥାଏ ତାକୁ ଉପର ରାଙ୍କ୍ ମିଳିଥାଏ ।

ସୂଚନାଯୋଗ୍ୟ, ଶୁକ୍ରବାର ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୭.୭ ଲକ୍ଷ ପରୀକ୍ଷାର୍ଥୀ ରାଙ୍କ୍ ପାଇଛନ୍ତି  । ସମସ୍ତ ପରୀକ୍ଷାର୍ଥୀଙ୍କୁ ଟାଇ ବ୍ୟାଙ୍କ୍ ପଲିସି ଅନୁସାରେ ରାଙ୍କ୍ ମିଳିଛି ।

ଆକାଂଶା ଓ ସୋଏବଙ୍କ ବ୍ୟତୀତ ତେଲେଙ୍ଗାନାର ଶ୍ନିକିତା, ରାଜସ୍ଥାନର ବିନିତ ଶର୍ମା, ହରିୟାଣାର ଅମ୍ରିଶା ଖଇତାନ, ଆନ୍ଧ୍ରପ୍ରଦେଶର ସିନ୍ଧୁ ୭୨୦ରୁ ୭୧୫ ମାର୍କ ପାଇଛନ୍ତି । ଏହି ପରୀକ୍ଷାର୍ଥୀଙ୍କୁ ଯଥାକ୍ରମେ ତୃତୀୟ, ତତୁର୍ଥ, ପଞ୍ଚମ ଓ ଷଷ୍ଠ ରାଙ୍କ୍ ମିଳିଛି ।

ସେହିପରି ଯେଉଁମାନେ ୭୧୦ ମାର୍କ ପାଇଛନ୍ତି ସେମାନଙ୍କୁ ଅଷ୍ଟମରୁ ୨୦ତମ ରାଙ୍କ୍ ମିଳିଛି । ୭୦୫ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କୁ ୨୫ରୁ ୫୦ରାଙ୍କ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.