ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ, ଏପର୍ଯ୍ୟନ୍ତ ବର୍ଷିଲାଣି ୧,୧୦୦ ମିଲିମିଟର ବର୍ଷା

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧।୯ : ଦିଲ୍ଲୀରେ ଚଳିତବର୍ଷ ମୌସୁମୀ ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଜ୍ଞାନ ବିଭାଗ ଶନିବାର ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ମୌସୁମୀରେ ଅତ୍ୟାଧିକ ଓ ଅସାଧାରଣ ବୃଷ୍ଟି ରେକର୍ଡ କରାଯାଇଛି। ଫଳରେ ଜାତୀୟ ରାଜଧାନୀକୁ ମୌସୁମୀ ଆଗମନ ପରଠାରୁ ଏପର୍ଯ୍ୟନ୍ତ ୧ହଜାର ୧୦୦ ମିଲିମିଟର ବର୍ଷା ମିଳିଥିବା ବେଳେ ଗତ ୪୬ ବର୍ଷର ସର୍ବାଧିକ ବୃଷ୍ଟିପାତ ଓ ଗତବର୍ଷ ତୁଳନାରେ ଏପର୍ଯ୍ୟନ୍ତ ୨ ଗୁଣାରୁ ବି ଅଧିକ ବର୍ଷା ହେଲାଣି ବୋଲି ପାଣିପାଗ ବିଜ୍ଞାନ ବିଭାଗ କହିଛନ୍ତି।

ଆଇଏମଡି ଅଧିକାରୀଙ୍କ ଅନୁସାରେ ସଫଦରଜଙ୍ଗ ଅବଜରଭେଟରୀ ୧୯୭୫ ମସିହା ମୌସୁମୀରେ ଦିଲ୍ଲୀ ସର୍ବାଧିକ ୧ହଜାର ୧୫୦ ମିଲିମିଟର ବର୍ଷା ପାଇଥିବାର ରେକର୍ଡ କରିଛନ୍ତି। ମୌସୁମୀ ଫେରିବାକୁ ଆହୁରି ସମୟ ବାକି ଅଛି ତେବେ ତା ପୂର୍ବରୁ ଦିଲ୍ଲୀ ୧ହଜାର ୧୦୦ ମିଲିମିଟର ବର୍ଷା ପାଇସାରିଲାଣି ବୋଲି ଆଇଏମଡି ଅଧିକାରୀ କହିଛନ୍ତି। ଆଇଏମଡିଙ୍କ ଅନୁସାରେ ସାଧାରଣ ମୌସୁମୀରେ ଦିଲ୍ଲୀ ହାରାହାରି୬୪୮.୯ ମିଲିମିଟର ବର୍ଷା ହୋଇଥାଏ। ତେବେ ଚଳିତବର୍ଷ  ବର୍ଷା ସବୁ ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଉଛି। 

{"id":509802,"width":839,"height":468,"sizeSlug":"full","linkDestination":"none"}

ମୌସୁମୀ ଆରମ୍ଭରୁ ଅର୍ଥାତ ଜୁନର ୧୧ ସେପ୍ଟେମ୍ବର ମଧ୍ୟରେ ସାଧାରଣତଃ ୫୯୦.୨ ମିଲିମିଟର ବର୍ଷା ହେବା କଥା। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରୁ ମୌସୁମୀର ପ୍ରତ୍ୟାହାର ଆରମ୍ଭ ହୋଇଥାଏ। ଦିଲ୍ଲୀରେ ଆହୁରି ଦୁଇଦିନ ବର୍ଷା ହେବ ବୋଲି ପାଣିପାଗ ଅଧିକାରୀ ପୂର୍ବାନୁମାନ କରିଛନ୍ତି। ୧୭ ଓ ୧୮ ସେପ୍ଟେମ୍ବର ବେଳକୁ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଚଳିତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀ ପ୍ରଚୁର ବର୍ଷା ପାଇଛି। ଚଳିତମାସର ମାତ୍ର ୧୧ ଦିନରେ ଦିଲ୍ଲୀ ଏନସିଆର ୩୪୩.୬ ମିଲମିଟର ବର୍ଷା ପାଇଛି। ଯାହା ଗତ ୧୨ ବର୍ଷରେ ସର୍ବାଧିକ ବୋଲି କୁହାଯାଇଛି। ତଥାପି ସେପ୍ଟେମ୍ବରରେ ଏପର୍ଯ୍ୟନ୍ତ ହୋଇଥିବା ବର୍ଷା ୨୦୨୦ ସେପ୍ଟମ୍ବର ତୁଳନାରେ କମ୍‌ ବୋଲି କୁହାଯାଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ରାଜଧାନୀ ଦିଲ୍ଲୀରେ ୨୦.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେପ୍ଟେମ୍ବର ମାସ ଆରମ୍ଭରେ ଦିଲ୍ଲୀ ଲଗାତାର ୨ ଦିନ ୧୦୦ ମିଲିମିଟର ଲେଖାଏଁ ବର୍ଷା ପାଇଥିଲା।

{"id":509803,"sizeSlug":"full","linkDestination":"none"}

ସେପ୍ଟେମ୍ବର ୧ ତାରିଖ ଦିନ ଦିଲ୍ଲୀରେ ୧୧୨.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଏହା ପରଦିନ ଅର୍ଥାତ ୨ ତାରିଖରେ ୧୧୭.୭ ମିଲିମିଟର ବର୍ଷା ହୋଇଥିଲା। ସେପ୍ଟେମ୍ବର ୧୧ ତାରିଖ ଦିନ ଦିଲ୍ଲୀରେ ୯୪.୭ ମିଲମିଟର ବର୍ଷା ରେକର୍ଡ ହୋଇଛି। ଚଳିତବର୍ଷ ଦିଲ୍ଲୀକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା। ଜୁଲାଇ ୧୩ ତାରିଖ ଦିନ ଦିଲ୍ଲୀକୁ ମୌସୁମୀ ଆସିଥିବା ପରଠାରୁ ସେହି ମାସରେ ୧୬ ଦିନ ଧରି ବର୍ଷିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.