ଦିଲ୍ଲୀ କୃଷକ ଆନ୍ଦୋଳନକୁ ନେଇ ତେଜୁଛି ଅସନ୍ତୋଷ, ବିରୋଧୀଙ୍କୁ ବାସନ୍ଦ କରୁଛନ୍ତି ଗ୍ରାମବାସୀ, ଗାଁଗାଁରେ ଚାଲିଛି ଅନୁଦାନ ସଂଗ୍ରହ
14/01/2021 at 6:03 PM

ବାଗପତ ୧୪।୧: ଦିଲ୍ଲୀ କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ଟାଳଟୁଳନ ନୀତି ଏବେ ଜନ ଅସନ୍ତୋଷର କାରଣ ହେଲାଣି। ହରିୟାଣାର ୬୦ଟି ଗାଁରେ ଖାପ୍ ପଞ୍ଚାୟତ ବିଜେପି ଓ ସହଯୋଗୀ ଜେଜେପିକୁ ବାସନ୍ଦ କରିଥିବା ବେଳେ ଏହାର ପ୍ରଭାବ ଏବେ ପଶ୍ଚିମ ଉତ୍ତରପ୍ରଦେଶରେ ଅନୁଭୁତ ହେଲାଣି।
ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସାରୁପୁର କାଲା ଗ୍ରାମରେ ପଞ୍ଚାୟତର ଏକ ଜରୁରି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ୨୫ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମର ସମୂଦାୟ ୩୬ଟି ଜାତିର ଲୋକେ ପଞ୍ଚାୟତ ବୈଠକରେ ଅଂଶଗ୍ରହଣ କରିଥିଲେ। ଏଥିରେ ଦିଲ୍ଲୀ କୃଷକ ଆନ୍ଦୋଳନକୁ ପଞ୍ଚାୟତ ସମର୍ଥନ କରିଛି। ଯେଉଁ ରାଜନୈତିକ ନେତା ଓ କୃଷକ ସଙ୍ଗଠନମାନେ ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁ ନାହାନ୍ତି ସେମାନଙ୍କୁ ବାସନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ପଞ୍ଚାୟତଙ୍କ ନିଷ୍ପତ୍ତି ଅନୁସାରେ ଏପରି ନେତାଙ୍କୁ ଗାଁରେ କେହି ସ୍ୱାଗତ କରିବେନି କି ସେମାନଙ୍କ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେନି। ସେହିପରି ଯେଉଁ କୃଷକ ସଙ୍ଗଠନ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ସେମାନଙ୍କ ସମର୍ଥନରେ ଗ୍ରାମବାସୀ ଆସିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ପଞ୍ଚାୟତ ଜାନୁୟାରୀ ୧୬ ତାରିଖ ଦିନ ଦିଲ୍ଲୀ ଆନ୍ଦୋଳନ ସ୍ଥଳ ପରିଦର୍ଶନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ପରିଦର୍ଶନ କାଳରେ ପଞ୍ଚାୟତ ଆନ୍ଦୋଳନକାରୀଙ୍କ ଲାଗି ଗ୍ରାମବାସୀଙ୍କ ସହଯୋଗ ପ୍ରଦାନ କରିବେ ବୋଲି ଜଣାପଡିଛି।
ଆନ୍ଦୋଳନକୁ ସହଯୋଗ ଲାଗି ଗ୍ରାମବାସୀଙ୍କୁ ଯଥା ସମ୍ଭବ ସହଯୋଗ ଦେବାକୁ ନିବେଦନ କରାଯାଇଥିବା ବେଳେ ନଗଦ ସାଢେ ୪ଲକ୍ଷ ଟଙ୍କା ଓ ୯ ଟ୍ରାକ୍ଟର ବୋଝେଇ ରାସନ ସାମଗ୍ରୀ ସଂଗ୍ରୁହିତ ହୋଇଥିବା ଜଣାପଡିଛି। ଗ୍ରାମର ପ୍ରଧାନ ଜିତ ସିଂହ ଆନ୍ଦୋଳନ ଲାଗି ୨୧ ହଜାର ଟଙ୍କା ଦେଇଥିବା ବେଳେ ଦିଲ୍ଲୀକୁ ରେସନ ସାମଗ୍ରୀ ପରିବହନ ଲାଗି ତାଙ୍କ ଟ୍ରାକ୍ଟର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମର ୨ ପୂର୍ବତନ ପ୍ରଧାନ ତେଜବୀର ସିଂହ ଓ ଜଗବୀର ସିଂହ ଯଥାକ୍ରମେ ୫ ହଜାର ଓ ୨ ହଜାର ୧ଶହ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଗ୍ରାମର ଲୋକେ ନିଜନିଜ ସାମର୍ଥ୍ୟ ଅନୁସାରେ ଆନ୍ଦୋଳନକାରୀ କୃଷକଙ୍କ ନିମନ୍ତେ ଖାଦ୍ୟଶସ୍ୟ ଓ ନଗଦ ଟଙ୍କା ସହାୟତା କରିଛନ୍ତି।