ସଂକ୍ରମଣ ଭୟରେ ମୃତ ଶରୀର ନେଉ ନାହାନ୍ତି ପରିଜନ, ହସ୍ପିଟାଲରେ ପଡି ରହିଛି ୩୦ ଶବ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ମୃତ ଶରୀରକୁ ସେମାନଙ୍କର ପରିଜନ ନେଉ ନାହାନ୍ତି। ଦିଲ୍ଲୀର ଏଲଏନଜିପି ହସ୍ପିଟାଲର ଶବ ଗୃହରେ ମୃତ ଶରୀର ରଖାଯାଇଛି, ହେଲେ ଏ ପର୍ଯ୍ୟନ୍ତ କେହି ହେଲେ ଏହି ଶବ ନେବାକୁ ଆସି ନାହାନ୍ତି। ଫଳରେ ହସ୍ପିଟାଲରେ ନୂତନ ଶବ ରଖିବାରେ ସମସ୍ୟା ଉପୁଜିଛି।

ଜଣେ ଅଧିକାରୀ କହିଛନ୍ତି କୋଭିଡ୍-୧୯ କାରଣରୁ ମୃତ୍ୟୁହାର ବଢିବା ପରେ ଏଲଏନଜେପି  ହସ୍ପିଟାଲରେ ୩୦ରୁ ଅଧିକ ମୃତ ଶରୀର ଶବ ଗୃହରେ ପଡି ରହିଛି। କେହି ହେଲେ ପରିଜନ ଶବ ନେବାକୁ ଆସୁନାହାନ୍ତି। ଲୋକେ ସଂକ୍ରମଣର ବିପଦ ଏବଂ ଭୁଲ ସୂଚନା କାରଣରୁ ନିଜ ଲୋକଙ୍କ ମୃତ ଶରୀର ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଦିଲ୍ଲୀ ସରକାର ଏବେ ଶବ ରଖିବାର ବ୍ୟବସ୍ଥା ନେଇ ସଂଶୋଧିତ ମାର୍ଗଦର୍ଶିକା  ଜାରି କରିଛନ୍ତି।

ଦିଲ୍ଲୀରେ ରେକର୍ଡ ମୃତ୍ୟୁ

ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଚତୁର୍ଥ ଦିନରେ ଏକ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ରବିବାର ୧୨୯୫ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୪୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୪୧୬ ରୋଗୀ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଏ ପର୍ଯ୍ୟନ୍ତ ମୋଟ୍ ୮୪୭୮ ରୋଗୀ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ଏହି ୨୪ ଘଣ୍ଟାରେ ୧୩ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୩ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.