ଡାକ୍ତର ଘୋଷିତ କଲେ ମୃତ : ଘରକୁ ପହଞ୍ଚିବାବେଳେ ଜୀବିତ ହୋଇଗଲେ ଯୁବତୀ

Published By : Prameya-News7 Bureau | August 27, 2020 IST

ମିରଟ ୨୭/୮: ମୃତ୍ୟୁ ପରେ କେହି ଜୀବିତ ହୋଇଯିବା , ଏହା କେବଳ କାହାଣୀରେ ଶୁଣିବାକୁ ମିଳିଥାଏ। କିନ୍ତୁ ମଓ୍ବାନା ସହରରେ ଏପରି ଘଟଣା ସାମନାକୁ ଆସିଛି। ଏଠାରେ ମୋହଲ୍ଲା ମୁନ୍ନାଲାଲ ବାସିନ୍ଦା ଜଣେ ଯୁବତୀ ମୃତ୍ୟୁର କିଛି ଘଣ୍ଟା ପରେ ହଠାତ୍ ଜୀବିତ ହୋଇଯାଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ ଘୋଷିତ କରି ଦିଆଯାଇଥିଲା। ଯୁବତୀଙ୍କୁ ପୋତିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା କିନ୍ତୁ ହଠାତ୍ ଯୁବତୀଙ୍କ ଶରୀର ହଲଚଲ ହୋଇଥିଲା। ପରିବାର ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବର୍ତ୍ତମାନ, ଯୁବତୀଙ୍କୁ ଘରେ ଅକ୍ସିଜେନ୍ ଦିଆଯାଉଛି।

କୁହାଯାଉଛି ଯେ ୨୦ବର୍ଷ ବୟସ୍କା ଆସମା ଅଗଷ୍ଟ ୨୪ତାରିଖରେ ହଠାତ୍ ହୃଦଘାତ ହେବାରୁ ବେହୋଶ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀର ଅଲଶିଫା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାର ଲୋକେ କହିଥିଲେ ଯେ ବୁଧବାର ସକାଳେ ହସ୍ପିଟାଲରେ ଆସମାଙ୍କୁ ମୃତ ଘୋ​‌ଷିତ କରାଯାଇଥିଲା। ଏହା ପରେ ପରିବାର ଲୋକେ ଶବ ନେଇ ମଓ୍ବାନା ଫେରୁଥିଲେ।

ପରିବାର ଲୋକେ ଘରେ ଫୋନ୍ କରି ଦେଇଥିଲେ ଏବଂ କହିଥିଲେ ଯେ ଶବକୁ ପୋତିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉ। କବର ମଧ୍ୟ ଖୋଳା ଯାଇଥିଲା। ଏହି ସବୁ ମଧ୍ୟରେ ବିଳମ୍ବିତ ସନ୍ଧ୍ୟାରେ ପରିବାର ଲୋକେ ଶବ ନେଇ ମଓ୍ବାନା ନେଇ ଘରକୁ ପହଞ୍ଚିବାରୁ ହଠାତ୍ ଆସମାଙ୍କ ହାତ ଗୋଡ଼ ହଲିବାକୁ ଲାଗିଥିଲା। ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆସମା ଜୀବିତ ଥିବାର ସୂଚନା ପରେ ନଗର ପାଳିକାଙ୍କ କବର ଖୋଳିବା ପାଇଁ ଲଗାଯାଇଥିବା ଲାଇଟ୍ ଫେରାଯାଇଥିଲା ତଥା ପୋତିବା ପାଇଁ ପ୍ରସ୍ତୁତି ରୋକାଯାଇଥିଲା।

ବର୍ତ୍ତମାନ ଯୁବତୀ ଜୀବିତ ଅଛନ୍ତି। ସ୍ଥାନୀୟ ଚିକିତ୍ସକଙ୍କୁ ଡକାଯାଇ ତାଙ୍କର ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟ ଗମ୍ଭୀର ରହିଥିବାରୁ ତାଙ୍କୁ କୃତ୍ରିମ ଅକ୍ସିଜେନ୍ ଦିଆଯାଉଛି। ପରିବାର ଲୋକେ ଦିଲ୍ଲୀର ହସ୍ପିଟାଲ ସହ ମଧ୍ୟ ଯୋଗାଯୋଗ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.