'ଅକ୍ସିଜେନ ନାହିଁ, ସମସ୍ୟାର ସମାଧାନ ନହେଲେ ଲୋକଙ୍କ ଜୀବନ ବଞ୍ଚାଇବା ମୁସ୍କିଲ ହୋଇଯିବ': ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪ : ରାଜଧାନୀ ଦିଲ୍ଲୀରେ କରୋନା ଭୟାବହତା ଜାରି ରହିଛି । କରୋନା ପାଇଁ ହାହାକାର ହେଉଛନ୍ତି ଲୋକେ । ହସ୍ପିଟାଲଗୁଡିକରେ ଅକ୍ସିଜେନ ସଙ୍କଟ ବ୍ୟାପକ ରୁପଧାରଣ କଲାଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଳଗାତାର ଭାବେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ।

ମନୀଷ ସୁସୋଦିଆ ଗୁରୁବାର ପ୍ରେସମିଟ୍‌ କରି କହିଛନ୍ତି ଯେ, ‘ଦିଲ୍ଲୀ ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍ ସଙ୍କଟ ବ୍ୟାପକ ହେବାରେ ଲାଗିଛି । କିଛି ସମୟ ମଧ୍ୟରେ ଅକ୍ସିଜେନ ଶେଷ ହୋଇଯିବ । ଲୋକମାନଙ୍କ ଜୀବନ ବଞ୍ଚାଇବା ମଧ୍ୟ କଷ୍ଟ କର ହୋଇଯିବ । ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରାନଗଲେ ମୃତ୍ୟୁସଂଖ୍ୟା ବଢିପାରେ । ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ଏବଂ ତୁରନ୍ତ ଦିଲ୍ଲୀ ହସ୍ପିଟାଲ ଗୁଡିକରେ ଅକ୍ସିଜେନ୍‌ ପହଞ୍ଚାଇବା ବ୍ୟବସ୍ଥା କରାନ୍ତୁ ।’

ସିସୋଦିଆ କହିଛନ୍ତି, ‘ଦିଲ୍ଲୀର ଅନେକ ହସ୍ପିଟାଲରେ ଅକ୍ସିଜେନ ଶେଷ ହୋଇଯାଇଛି । ସରକାରଙ୍କ ନିକଟରେ କୌଣସି ବିକଳ୍ପ ମଧ୍ୟ ନାହିଁ । ଦିଲ୍ଲୀ କୋଟାରେ ଥିବା ଅକ୍ସିଜେନକୁ ନେବା ପାଇଁ କିଛି ରାଜ୍ୟ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ୍‌ କୋଟା ବଢାଯାଇଥିଲେ ସୁଦ୍ଧା ହରିୟାଣା ଏବଂ ଉତ୍ତର ପ୍ରଦେଶ ସରକାର ଯୋଗାଣକୁ ରୋକିବାକୁ ପ୍ରୟାସ କରୁଛନ୍ତି। ବୁଧବାର ଦିଲ୍ଲୀରେ ୩୭୮ ମେଟ୍ରିକ୍‌ଟନ୍‌ ଅକ୍ସିଜେନ ଆବଶ୍ୟକତା ଥିବା ବେଳେ ମିଳିଥିଲା ମାତ୍ର ୧୧୭ ମେଟ୍ରିକ୍‌ ଟନ୍‌ ।’

କେନ୍ଦ୍ର ସରକାରଙ୍କୁ ନିବେଦନ କରି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀରେ ଖୁବ କମ ସମୟ ମଧ୍ୟରେ ଅକ୍ସିଜେନ ପହଞ୍ଚିବା ଆବଶ୍ୟକ । ନଚେତ ଆଗକୁ ସ୍ଥିତି ଭୟଙ୍କର ହେବ । କେବଳ ବୁଧବାର ଦିଲ୍ଲୀରେ ୨୪,୬୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୪୯ ଜଣଙ୍କର ମୃତ୍ୟୁ ଘଟିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.