ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ COVID +, ଟ୍ୱିଟ୍‌ରେ ଦେଲେ ସୂଚନା

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪।୯: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚୀତ କରିଥିବା ବେଳେ ନିଜକୁ ନିଜେ ଆଇସୋଲେସନରେ ରଖିଥିବା ଉଲ୍ଲେଖ କରିଛନ୍ତି। ସୋମବାର ତାଙ୍କୁ ହାଲକା ଜ୍ୱର ଥିଲା। ଏଣୁ ସେ ବିଧାନସଭା ନ ଯାଇ କୋଭିଡ ପରୀକ୍ଷଣ କରାଇଥିବା ବେଳେ ତାହା ପଜେଟିଭ ଆସିଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଏବେ ସେ ସେପରି କୌଣସି ସ୍ୱାସ୍ଥ୍ୟଗତ ଜଟିଳତା ଅନୁଭବ କରୁନଥିବା ସୂଚିତ କରିଥିବା ବେଳେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ କାର୍ଯ୍ୟକ୍ଷେତ୍ରକୁ ଫେରିବେ ବୋଲି ଜଣାଇଛନ୍ତି। ସୋମବାର ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଥିଲା। ତେବେ ଦେହରେ ଉତ୍ତାପ ଥିବା ଯୋଗୁ  ସେ ସଦନକୁ ଯାଇନଥିଲେ। ତେବେ କେବଳ ସିସୋଦିଆ ନୁହନ୍ତି ଦିଲ୍ଲୀର ଆଉ ୩ ବିଧାୟକ ମଧ୍ୟ କୋଭିଡ ଚିହ୍ନଟ ହୋଇଥିବା ଜଣାପଡିଛି।

ଏହି ବିଧାୟକମାନେ ମଧ୍ୟ ସୋମବାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ସାମିଲ ହୋଇନଥିଲେ। ଏହି ବିଧାୟକମାନେ ହେଉଛନ୍ତି ଗିରିଶ ସୋନୀ, ପ୍ରମିଳା ଟୋକସ୍ ଓ ଭିଶେଷ ରବି। ଏମାନଙ୍କର କରୋନା ପରୀକ୍ଷଣ ରିପୋର୍ଟ ମଧ୍ୟ ସୋମବାର ପଜିଟିଭ ଆସିଛି। ସମସ୍ତେ ନିଜକୁ ନିଜେ ଆଇସୋଲେସନ କରିଛନ୍ତି। ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋଭିଡ ସଂକ୍ରମିତ ହୋଇଥିଲେ। ତେବେ ଜୈନ ଏବେ ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.