ଚୀନ୍ ଦେଉଛି ଡୁପ୍ଲିକେଟ୍, କିନ୍ତୁ ଚୋରାରେ ନେଉଛି ଅରଜିନାଲ୍‌ : ବିପୁଳ ମାସ୍କ-ପିପିଇ ଜବତ ପରେ ଖୋଲିଲା ଗୁମର

Published By : Prameya-News7 Bureau | May 14, 2020 IST

ନୂଆଦିଲ୍ଲୀ ୧୪।୦୫: ସାରାଦେଶରେ ଏବେ କରୋନ ଚିନ୍ତା । କିପରି ଏହି ମହାମାରୀରୁ ନିଜକୁ ଓ ନିଜ ଲୋକଙ୍କୁ ରକ୍ଷାକରିବେ ଚିନ୍ତାରେ ସରକାର ଓ ସାଧାରଣ ଲୋକ । ଏଭଳି କଠିନ ସମୟରେ ଦେଶରେ ମେଡିକାଲ ସାମଗ୍ରୀର ନିହାତି ଆବଶ୍ୟକ ରହିଛି । କିନ୍ତୁ ଏହିଭଳି କଠିନ ସମୟରେ ମେଡିକାଲ ସାମାଗ୍ରୀ କଳାବଜାର କରିବାକୁ ମଧ୍ୟ ପଛାଉନାହାନ୍ତି । ମେଡିକାଲ ସାମଗ୍ରୀ ଚୀନ୍‌କୁ ଚୋରାଚାଲାଣ ଉଦ୍ୟମ ବେଳେ ଜବତ କରିଛି କଷ୍ଟମ ବିଭାଗ ।

ସୂଚନାଯୋଗ୍ୟ ଯେ,ଦିଲ୍ଲୀ କଷ୍ଟମ ବିଭାଗକୁ ଗୁପ୍ତ ସୂଚନା ଆଧାରରେ ରାଜଧାନୀ ଦିଲ୍ଲୀର ଏୟାରପୋର୍ଟରୁ ବହୁ ସଂଖ୍ୟାର ମାସ୍କ, ସାନିଟାଇଜର ଓ ପିପିଇ ଜବତ ହୋଇଛି । ଏହି ସବୁ ସାମଗ୍ରୀ ଚୋରାଭାବରେ ଚୀନ୍‌କୁ ଚାଲାଣ ହେଉଥିଲା । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୫.୦୮ ଲକ୍ଷ ମାସ୍କ, ୫୭ ଲିଟର ସାନିଟାଇଜର ଯଥା ୯୫୦ ବୋତଲ ଏବଂ ୯୫୦ ପିପିଇ କିଟ୍ ଜବତ ହୋଇଛି | ନୂଆଦିଲ୍ଲୀର କ୍ୟୁରି ଟର୍ମିନାଲରେ କଷ୍ଟମ ଏହି ସମସ୍ତ ସାମଗ୍ରୀ ଜବତ କରିଛି। ଏହି ସାମଗ୍ରୀ ବ୍ୟତୀତ, କଷ୍ଟମ ଠାରୁ ୨୪୮୦ କିଲୋଗ୍ରାମର କଞ୍ଚାମାଲ ମଧ୍ୟ ଜବତ ହୋଇଛି । ଯାହା ଚୀନ୍‌କୁ ପଠାଯିବାର ଯୋଜନା ରହିଥିଲା । ବର୍ତ୍ତମାନ ଏହି ମାମଲାର ଅନୁସନ୍ଧାନ ଜାରି ରହିଛି ।

କରୋନା ଜୀବାଣୁ ଭାଇରସ ଏବେ  ଦେଶ ପାଇଁ ସଙ୍କଟ ପାଲିଟିଛି । ଏଭଳି ପରିସ୍ଥିତିରେ ଭାରତ ସରକାର ବହୁ ଚିକିତ୍ସା ସାମଗ୍ରୀ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମାର୍ଚ୍ଚ ୧୯ରେ ସରକାର ଏହି ସାମଗ୍ରୀର ରପ୍ତାନି ବନ୍ଦ କରିଦେଇଥିଲେ। ସେଗୁଡ଼ିକ ମଧ୍ୟରେ ସାନିଟାଇଜର, ମାସ୍କ ମଧ୍ୟ ଅନ୍ତର୍ଭୁକ୍ତ ରହିଛି | ବର୍ତ୍ତମାନ ସ୍ଥିତିରେ ଦେଶରେ କରୋନା ସଙ୍କଟ ଲାଗି N-95 ମାସ୍କ ଏବଂ ପିପିଇ କିଟ୍ ତିଆରି କାମ ଚାଲିଛି | କରୋନା ଭାଇରସ ବିରୋଧୀ ଲଢେଇରେ ଏହି ସମସ୍ତ ସାମଗ୍ରୀଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏହିପରି ଭାବରେ ସେମାନଙ୍କୁ ଗୁପ୍ତ ଭାବରେ ରପ୍ତାନି କରିବା ଏକ ବଡ ଅପରାଧ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.