ଘରୋଇ କଳହ ଯୋଗୁଁ ବୋହୂକୁ ଛୁରୀ ଭୁଷି ହତ୍ୟା କଲା ଶାଶୁ : ପୋଲିସ୍ କଲା ଗିରଫ

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୯/୧:ରାଜଧାନୀ ଦିଲ୍ଲୀରେ ଶାଶୁ-ବୋହୂଙ୍କ ଝଗଡ଼ା ହିଂସାତ୍ମକ ରୂପ ନେଇଛି। ଦିଲ୍ଲୀରେ ଶାଶୁ-ବୋହୂଙ୍କ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଜଣେ ଶାଶୁ ତା’ ବୋହୂକୁ ହତ୍ୟା କରିଛି।

ଘଟଣାଟି ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ଓ୍ବେଲକମ୍ ଥାନା ଅଞ୍ଚଳରେ। ଏଠାରେ ୩୨ବର୍ଷ ବୟସ୍କା ଶବିସ୍ତାଙ୍କୁ ତାଙ୍କ ଶାଶୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ପୋଲିସ୍ ଅଭିଯୁକ୍ତ ଶାଶୁ ନସୀମାକୁ ଗିରଫ କରିଛି।

ସୂଚନା ଅନୁଯାୟୀ ଶବିସ୍ତା ନିଜର ସ୍ବାମୀ ଏବଂ ୫ପିଲାଙ୍କ ସହ ଗାଜିଆବାଦରେ ରହୁଥିଲେ। କୁହାଯାଉଛି ଯେ ଶବିସ୍ତାଙ୍କ ସହ ଶାଶୁର ପ୍ରାୟ ସମୟ ଝଗଡ଼ା ହେଉଥିଲା। ଯାହା ଫଳରେ ବୋହୂ ,ଶାଶୁ ଉଭୟେ ଅଲଗା ରହୁଥିଲେ।

ମଙ୍ଗଳବାର ନସୀମା ,ଶବିସ୍ତା ସହ କଥାବାର୍ତ୍ତା କରିବା ପାଇଁ ଓ୍ବେଲକମ୍ ଥାନା ଅଞ୍ଚଳର କବୀର ନଗରରେ ଥିବା ସମ୍ପର୍କୀୟଙ୍କ ଘରକୁ ଡକାଇଥିଲା। ଏଠାରେ କଥା  ହେବାବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ନସୀମା ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା।

ତତକ୍ଷଣାତ୍ ଗୁରୁତର ଅବସ୍ଥାରେ ଶବିସ୍ତାଙ୍କୁ ଜିଟିବି ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଏଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୂଚନା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ଅଭିଯୁକ୍ତ ନସୀମା ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.