ଜମାତି ମୁଖିଆ ମୌଲାନା ସାଦଙ୍କୁ ଧରିବାକୁ ପିପିଇ ପିନ୍ଧି ଫାର୍ମ ହାଉସରେ ପହଞ୍ଚିଲେ ତଦନ୍ତକାରୀ ଟିମ, ତଥାପି ମିଳୁନି ପତ୍ତା
23/04/2020 at 5:39 PM

ନୂଆଦିଲ୍ଲୀ ୨୩/୦୪ : ଜମାତି ମୁଖିଆ ମୌଲାନାଙ୍କ ପାଇଁ ବଢିଲା ଅଡୁଆ। ସାଦଙ୍କୁ ଧରିବା ପାଇଁ ଆଜି ଉତ୍ତର ପ୍ରଦେଶ ସାମଲି ଫାର୍ମ ହାଉସରେ ପହଞ୍ଚିଥିଲା କ୍ରାଇମବ୍ରାଂଚ । କରୋନା ସଂକ୍ରମଣକୁ ନଜରରେ ରଖି ପିପିଇ କିଟ୍ ପିନ୍ଧିଥିଲେ ତଦନ୍ତକାରୀ ଅଧିକାରୀ । ଫାର୍ମ ହାଉସର କର୍ମଚାରୀଙ୍କୁ ସାଦଙ୍କ ସମ୍ପର୍କରେ ଗୁଡେଇତୁଡେଇ ପଚରାଉଚରା କରିଥିଲେ। ସେପଟେ ସାଦଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତକୁ ବ୍ୟାପକ କରିଛି ଇଡି।….

ସମୟ ଦିନ ପ୍ରାୟ ଗୋଟାଏ । ଉତ୍ତରପ୍ରଦେଶର ସାମିଲି ଫାର୍ମ ହାଉସରେ ଛାପା ମାରିଥିଲା କ୍ରାଇମବ୍ରାଂଚ ଟିମ୍ । ଉତ୍ତରପ୍ରଦେଶ ପୋଲିସର ସହାୟତାରେ ଦୁଇଟି ଗାଡିରେ ପହଞ୍ଚିଥିଲେ ଅଧ ଡଜନରୁ ଅଧିକ ଅଫିସର। କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି ତଦନ୍ତରେ ସାମିଲ ଅଧିକାରୀମାନେ ପିପିଇ କିଟ୍ ମଧ୍ୟ ପିନ୍ଧିଥିଲେ । ଫାର୍ମହାଉସରେ ସୁରକ୍ଷାକର୍ମୀଙ୍କୁ ପଚରାଉଚରା ପରେ ବି ମିଳିନଥିଲା ସାଦ୍ଙ୍କ ପତା।
ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ସାମିଲ ହୋଇଥିବା ବହୁତ ଜମାତି କରୋନା ପଜିଟିଭ୍ ସଂକ୍ରମଣରେ ସଂକ୍ରମିତ ହୋଇଥିଲେ। ବିଭିନ୍ନ ରାଜ୍ୟର କରୋନା ପଜିଟିଭ୍ ମାମଲାରେ ଜମାତି ଲିଙ୍କ୍ ମିଳିଥିଲା। ତାପରଠାରୁ ଜମାତି ମୁଖ୍ୟ ସାଦଙ୍କ ସମେତ ଆଉ ଛଅ ଜଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ସାଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆଇପିସିର ଦଫା ୩୦୪ ଲଗାଇଛି। ସାଦଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ରୁଜୁ କରି ତଦନ୍ତକୁ ବ୍ୟାପକ କରିଛି।

ଏପଟେ ଦେଶବ୍ୟାପୀ କରୋନା ସଂକ୍ରମଣ ପାଇଁ ଯେଉଁ ଜମାତିଙ୍କୁ ଦାୟୀ କରାଯାଉଛି ସେହି ଜମାତିଙ୍କ ମଧ୍ୟରୁ ତାମିଲନାଡୁର ଜଣେ କରୋନାରୁ ସୁସ୍ଥ ହେବାପରେ ପ୍ଲାଜମା ଚିକିତ୍ସା ପାଇଁ ରକ୍ତ ଦାନ ପାଇଁ ଆଗେଇ ଆସିଛନ୍ତି। ଜମାତି ମୁଖ୍ୟଙ୍କ ଆହ୍ବାନକ୍ରମେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।
ଏହା ଭିତରେ ଜମାତି ମୁଖ୍ୟ ସାଦ୍ ୧୪ ଦିନିଆ କ୍ବାରାଣ୍ଟାଇନ ପରେ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ସେନେଇ ଟେଷ୍ଟ କରାଇଥିବା କହିଛନ୍ତି ତାଙ୍କ ଓକିଲ ଫୁଜେଲ ଆୟୁବ୍ବି। ତେବେ ପରୀକ୍ଷାର ରେଜଲ୍ଟ ଆସିନି।