ବନ୍ଧୁକ ମୁନରେ ଘରର କାର୍ ପାର୍କିଙ୍ଗରେ ଦମ୍ପତ୍ତିଙ୍କୁ ଲୁଟ୍ : ସିସିଟିଭିରେ କଏଦ ପୁରା ଘଟଣା
1/07/2019 at 5:32 PM

ଦିଲ୍ଲୀ ୧/୭ : ଦିଲ୍ଲୀରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଉତ୍ତର ଦିଲ୍ଲୀର ପୋଷ ଅଞ୍ଚଳରେ ଶନିବାର ରାତିରେ କାରରେ ନିଜ ଘରକୁ ଫେରୁଥିବା ଦମ୍ପତ୍ତିଙ୍କୁ ବନ୍ଧୁକ ମୁନରେ ଲୁଟିଛନ୍ତି କିଛି ଦୁର୍ବୁତ୍ତ । ଦମ୍ପତ୍ତି ଯେତେବେଳେ ନିଜ ଘରର ପାର୍କିଙ୍ଗରେ କାର ପାର୍କ କରୁଥିଲେ ସେତେବେଳେ କିଛି ଦୁର୍ବୁତ୍ତ ଘର ଭିତରକୁ ପଶି ଆସିଥିଲେ । ୩ ଦୁର୍ବୁତ୍ତ ମୁଖା ପିନ୍ଧିଥିଲେ । କାରରେ ପତି ପତ୍ନୀଙ୍କ ସହ ତାଙ୍କ ଶିଶୁ ମଧ୍ୟ ଥିଲେ । ଦୁର୍ବୁତ୍ତମାନେ ଦମ୍ପତ୍ତିଙ୍କ ଠାରୁ ମୂଲ୍ୟବାନ ଗହଣା ଓ ଟଙ୍କା ଲୁଟି ନେଇଛନ୍ତି । ପୁରା ଘଟଣା ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।
ପରିବାରର ମୁଖ୍ୟ ବରୁଣ ବହଲଙ୍କ କହିବାନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସେ ନିଜ ଶ୍ୱଶୁର ଘରୁ ଫେରୁଥିଲେ । ସେ ନିଜ ଘର ବାହାରେ ୩ଜଣ ମୁଖା ପିନ୍ଧା ଦୁର୍ବୁତ୍ତଙ୍କୁ ଦେଖିଥିଲେ । ୩ ଜଣ ଏକ ବାଇକରେ ଥିଲେ । ଏମାନଙ୍କୁ ଦେଖି ସେ ଭୟଭୀତ ହୋଇଯାଇଥିଲେ ଏବଂ ଘରକୁ ନଯିବା ପାଇଁ ଚିନ୍ତା କରିଥିଲେ ଏବଂ କାରକୁ ଆଗକୁ ନେଇଯାଇଥିଲେ । ଏତିକିବେଳେ ବରୁଣଙ୍କୁ ମନେପଡିଥିଲା ଯେ ଘରର ଫାଟକ ଖୋଲା ଅଛି । ଏଭଳି ସ୍ଥିତିରେ ଘରକୁ ଫେରିଯିବା ଭଲ ହେବ । ଏହା ଭାବି ସେ ଘରକୁ ଫେରି ଯାଇଥିଲେ ।
ଘରେ ପାର୍କିଙ୍ଗ ଜାଗାରେ କାର ପାର୍କିଙ୍ଗ କରି ଫାଟକ ବନ୍ଦ କରିବାକୁ ଯିବାବେଳେ ୩ ଦୁର୍ବୁତ୍ତ ଭିତରକୁ ପ୍ରବେଶ କରିଥିଲେ । ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ବରୁଣଙ୍କ ଠାରୁ ତାଙ୍କ ପର୍ସ ଓ ସୁନାର ବ୍ରାଶଲେଟ ଲୁଟି ନେଇଥିଲେ । ଏହାପରେ ଦୁର୍ବୁତ୍ତମାନଙ୍କ ମଧ୍ୟରୁ ଜଣେ ବରୁଣଙ୍କ ପତ୍ନୀଙ୍କ ପାଖକୁ ଆସିଥିଲା ଏବଂ ତାଙ୍କୁ ପର୍ସ ମାଗିଥିଲେ । କିନ୍ତୁ ସେ କହିଥିଲେ ତାଙ୍କ ପାଖେ ପର୍ସ ନାହିଁ । ଗାଡିରେ ବରୁଣଙ୍କ ଦୁଇ ଶିଶୁ ଥିଲେ । ସେମାନେ ବରୁଣଙ୍କ ପତ୍ନୀଙ୍କ ଫୋନ ଛଡେଇ ନେଇଥିଲେ । ଏହାପରେ ସେମାନେ ସେଠାରୁ ପଳାଇଥିଲେ ।
ବରୁଣ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଦେଖି ଦୁର୍ବୁତ୍ତଙ୍କୁ ଖୋଜିବାକୁ ଚେଷ୍ଟା କରୁଛି । କିନ୍ତୁ ଏବେ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।