ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ଅଥରିଟି ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଜୁଲାଇ ସୁଦ୍ଧା ଦିଲ୍ଲୀରେ ୫ ଲକ୍ଷ ଟପିଯିବ ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯/୦୬ :  ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢେ ୫ ଲକ୍ଷ ଟପିଯିବ । ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଦିଲ୍ଳୀ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟି ବୈଠକ ପରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ବଢୁଥିବା ବେଳେ ଆଜି କୋଭିଡ ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନମୁନା ସଂଗ୍ରହ କରାଯାଇଛି । ..

ଦିଲ୍ଲୀରେ କରୋନା ସ୍ଥିତି ଚିନ୍ତାଜନକ । ବଢୁଛି ଗୋଷ୍ଠୀ ସଂକ୍ରମଣ ଆଶଙ୍କା । ଯେଉଁ ହାରରେ କରୋନା ମାଡି ଚାଲିଛି ଜୁଲାଇ ଶେଷ ସୁଦ୍ଧା  ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଡେଇଁଯିବ । ଏମିତି କିଛି ଆକଳନ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ କରୋନା ସଂକ୍ରମଣ ବିପଦକୁ ନେଇ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଧ୍ୟକ୍ଷତାରେ ବସିଥିଲା ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟି ବୈଠକ । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଧା ଦିଲ୍ଳୀରେ କରୋନା ଶୀର୍ଷ ସ୍ତରରେ ପହଂଚିବ । ଏହି ସମୟରେ ସମସ୍ତଙ୍କ ପାଇଁ ସେବା ଉପଲବ୍ଧ କରାଇବା ସବୁଠୁ ବଡ଼ ଚାଲେଞ୍ଜ ହେବ । ଚିକିତ୍ସା ପାଇଁ ୮୦ ହଜାର ବେଡ ଆବଶ୍ୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ  କହିଛନ୍ତି । ସ୍ଥିତି ସଂପର୍କରେ ଆଲୋଚନା ପାଇଁ ଉପରାଜ୍ୟପାଳ ସର୍ବଦଳୀୟ ବୈଠକ କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଛୁଇଁଛି । ୮୭୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ହଜାର ୩୫୭ ସୁସ୍ଥ ହୋଇଛନ୍ତି । ୩୦ ଜୁନ୍ ସୁଦ୍ଧା ପଜିଟିଭ ସଂଖ୍ୟା ୧ ଲକ୍ଷ, ୧୫ ଜୁଲାଇ ସୁଦ୍ଧା ୨ ଲକ୍ଷ ୨୫ ହଜାର ଛୁଇଁବା ଆଶଙ୍କା କରାଯାଉଛି । ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଅଭିଯୋଗ ଆଣି ଏଲଜିଙ୍କୁ ଭେଟିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା । ଏହାରି ଭିତରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା କରାଯାଇଛି । ଆସନ୍ତା କାଲି ରିପୋର୍ଟ ଆସିପାରେ ।

ସେପଟେ ଦିଲ୍ଳୀରେ ଅନ୍ୟ ରାଜ୍ୟର ରୋଗୀଙ୍କୁ ଚିକିତ୍ସା ପ୍ରସଙ୍ଗରେ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଦିଲ୍ଲୀର ହସ୍ପିଟାଲଗୁଡ଼ିକୁ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଉପରାଜ୍ୟପାଳ ଏହାକୁ ଖାରଜ କରିଦେଇଛନ୍ତି । ଡିଡିଏମ୍‌ଏ ବୈଠକରେ ଏହି ପ୍ରସଙ୍ଗରେ ପଚାରିବା ବେଳେ ଉପରାଜ୍ୟପାଳ ଚୁପ୍ ରହିଥିବା ଉପମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.