ବ୍ରିଟେନ ବିମାନ ଉପରେ ୩୧ ଜାନୁୟାରୀ ପର୍ଯ୍ୟନ୍ତ କଟକଣା ଦାବି କଲେ କେଜରିୱାଲ, ଜାଣନ୍ତୁ କାହିଁକି ?
7/01/2021 at 6:41 PM

ନୂଆଦିଲ୍ଲୀ ୭।୧: ବ୍ରିଟେନରୁ ଆସୁଥିବା ବିମାନ ଉପରେ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଦାବି କରିଛନ୍ତି। ଏ ନେଇ କେଜରିୱାଲ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ବ୍ରିଟେନରେ କରୋନା ଭାଇରସ ମହାମାରୀର ନୂଆ ଷ୍ଟ୍ରେନ ବ୍ୟାପୁଥିବା ଉଲ୍ଲେଖ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରିଥିବା ବେଳେ ଶୁକ୍ରବାର ସକାଳେ ବ୍ରିଟେନରୁ ପ୍ରଥମ ବିମାନ ନୂଆଦିଲ୍ଲୀ ପହଞ୍ଚିବ ବୋଲି ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଲାଗି ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି। ହେଲେବି ଦିଲ୍ଲୀକୁ ବ୍ରିଟେନ ବିମାନ ଉଡାଣ ଉପରେ ଜାନୁୟାରୀ ୩୧ ପର୍ଯ୍ୟନ୍ତ କଟକଣା ଲାଗୁ ନିମନ୍ତେ କେଜରିୱାଲ ନିବେଦନ କରିଛନ୍ତି। ବ୍ରିଟେନରେ ଏବେ କରୋନା ଭାଇରସ ମହାମାରୀ ଉଗ୍ର ରୂପ ନେଇଛି। ଏଥିରେ କେନ୍ଦ୍ର ସରକାର ଲାଗୁ କରିଥିବା କଟକଣା ଉଠାଇନେଇ ବିମାନ ଚଳାଚଳ ସ୍ୱଭାବିକ କରିବାକୁ ପଦକ୍ଷେପ ନେଇଛନ୍ତି।
ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ସଂଖ୍ୟା ହ୍ରାସ କରିଛନ୍ତି। ହେଲେ ବି ବ୍ରିଟେନରେ ଉପୁଜିଥିବା ପରିସ୍ଥିତି ଦୃଷ୍ଟିରୁ ଭାରତ ସରକାର ଆଉ କିଛି କାଳ କଟକଣା ବଳବତ୍ତର ରଖିବା ଆବଶ୍ୟକ ବୋଲି କେଜରିୱାଲ ଉଲ୍ଲେଖ କରିଛନ୍ତି। ସେ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ-ଭାରତ ବିମାନ ଯୋଗାଯୋଗ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।