ବିଧାନସଭାରେ କୃଷି ଆଇନକୁ ଫାଡିଲେ କେଜରିଓ୍ବାଲ, କହିଲେ-ଇଂରେଜଙ୍କ ଭଳି କ୍ରୁର ନହୁଅନ୍ତୁ ସରକାର
17/12/2020 at 5:37 PM

ନୂଆଦିଲ୍ଲୀ ୧୭/୧୨ : କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ଏହା ସହିତ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କେଜରିଓ୍ବାଲ । କେବଳ ସେତିକି ନୁହେଁ ବିଧାନସଭା ମଧ୍ୟରେ ନୂଆ କୃଷି ଆଇନର କପିକୁ ଚିରି ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲ ।
ସେ କହିଛନ୍ତି, ସରକାର ଆଉ କେତେ ଜୀବନ ନେବେ? ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ଏପର୍ଯ୍ୟନ୍ତ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଜୀବନ ଯାଇସାରିଲାଣି । ପ୍ରତ୍ୟେକ ଚାଷୀ ଜଣେ ଜଣେ ଭଗତ ସିଂ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । କେଜରିଓ୍ବାଲ କହିଛନ୍ତି ଇଂରେଜମାନଙ୍କ ଠାରୁ ଆହୁରି କୃର ନହୁଅନ୍ତୁ କେନ୍ଦ୍ର ସରକାର ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କେଜରିଓ୍ବାଲ । ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥ ବରେଲୀର ଏକ ରାଲିରେ କହିଛନ୍ତି ତିନୋଟି ଯାକ କୃଷି ବିଲ ଚାଷୀଙ୍କ ସୁବିଧା ପାଇଁ ଅଣାଯାଇଛି । ତେବେ ଏହାକୁ ନେଇ କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି ଯେ, ଭାଜପା କହିପାରିବ କି ଏହି ଆଇନରେ ଚାଷୀଙ୍କ ଫାଇଦା କଣ? ବିଜେପିକୁ ଟାର୍ଗେଟ କରି କେଜରିଓ୍ବାଲ କହିଛନ୍ତି ବିଜେପି ବାଲାଙ୍କୁ ଅଫୀମ ଖୁଆଇ ଦିଆଯାଇଛି ।
କେଜରିଓ୍ବାଲ କହିଛନ୍ତି, କେନ୍ଦ୍ର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ଦିଲ୍ଲୀ ବିଧାନସଭା ଖାରଜ କରୁଛି । କେନ୍ଦ୍ର ସରକାର ଇଂରେଜମାନଙ୍କ ଭଳି କୃର ନହୋଇ ତୁରନ୍ତ ଏହି ଆଇନକୁ ଫେରାଇନିଅନ୍ତୁ ବୋଲି ସେ କହିଛନ୍ତି । ତେବେ କୃଷି ଆଇନକୁ ଦିଲ୍ଲୀ ବିଧାନସଭାରେ ଅଚଳ କରାଇବାକୁ ଜାରି ହୋଇଥିବା ସଙ୍କଳ୍ପ ପତ୍ରକୁ ସ୍ବୀକାର କରାଯାଇଛି ।