ଶିଖରଙ୍କ ବ୍ୟାଟିଂ ଆଗରେ ଫିକା ପଡିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ୯୯ ରନ, ପଞ୍ଜାବକୁ ୭ ଓ୍ଵିକେଟ୍‌ରେ ହରାଇ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | May 02, 2021 IST

ଅହମ୍ମଦାବାଦ ୦୨।୦୫: ଶିଖର ଧାଓ୍ଵନଙ୍କ ଦମଦାର ଅର୍ଦ୍ଧଶତକ ଆଗରେ ଫିକା ପଡିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ଅପରାଜିତ ୯୯ ରନର ସାହସିକ ଇନିଂସ। ଆଇପିଏଲର ୨୯ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସଙ୍କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଦିଲ୍ଲୀ ଅଷ୍ଟମ ମ୍ୟାଚ୍‌ରୁ ୬ଟି ବିଜୟ ସହ ପଏଣ୍ଟ ତାଲିକା ଉପରକୁ ଉଠିଛି। ଅନ୍ୟପଟେ ପଞ୍ଜାବର ଚଳିତ ସିଜିନ୍‌ରେ ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଦଳ ଅଷ୍ଟମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲଙ୍କ ଅପରାଜିତ ୯୯ ରନ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୬ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ଦମଦାର ଅପରାଜିତ ୬୯ରନ ଇନିଂସ ଜରିଆରେ ଦିଲ୍ଲୀ ୧୭.୪ ଓଭରରେ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ପୃଥ୍ଵୀ ସ ୩୯ ରନର ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ।

୧୬୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀକୁ ଦୁଇ ଓପନର ଶିଖର ଧାଓ୍ଵନ ଓ ପୃଥ୍ଵୀ ସ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରି ୬.୧ ଓଭରରେ ୬୩ ରନ କରି ବିଜୟର ମୂଳଦୁଆ ପକାଇଥିଲେ। ସ ୨୨ ବଲ୍‌ରୁ ୩ ଚୌକା ଓ ୩ ଛକା ସହ ୩୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଧାଓ୍ଵନ ଓ ଷ୍ଟିଭ୍ ସ୍ମିଥ୍ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୪୮ ରନ ଯୋଡି ଦଳର ସ୍କୋରକୁ ୧୦୦ ପାର୍ କରାଇଥିଲେ।

ସ୍ମିଥ୍ ୨୪ ରନରେ ବିଦାୟ ନେଇଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ନିଜର ଦମଦାର ଫର୍ମ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ଅଧିନାୟକ ପନ୍ତ ୧୪ ରନ କରି ବିଦାୟ ନେଇଥିଲେ। ଶେଷ ଆଡକୁ  ଶିଖର ଓ ସିମରନ ହେଟମାୟର ବାକି ଔପଚାରିକ କାମ ପୂରଣ କରିଥିଲେ। ଶିଖର ଧାଓ୍ଵନ ୪୭ ବଲ୍‌ରୁ ୬ ଚୌକା ଓ ୨ ଛକା ସହ ୬୯ ରନ କରି ଅପରାଜିତ ଥିଲେ। ହେଟମାୟର କ୍ରିଜ୍‌କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୪ ବଲ୍‌ରୁ ୧୬ ରନ କରି ଦଳ ପାଇଁ ବିଜୟ ସୂଚକ ରନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.