ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇକୁ ହରାଇ ଶୀର୍ଷକୁ ଉଠିଲା

Published By : Prameya-News7 Bureau | October 04, 2021 IST

ଦୁବାଇ ୦୪।୧୦: ସୋମବାର ଆଇପିଏଲର ୫୦ତମ ମୁକାବିଲାରେ ଶୀର୍ଷରେ ଥିବା ଦୁଇ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବାଜି ମାରି ନେଇଛି। ଦଳ ୩ ଓ୍ଵିକେଟ୍‌ରେ ଚେନ୍ନାଇକୁ ପରାସ୍ତ କରିଛି। ପ୍ରଥମେ  ବ୍ୟାଟିଂ କରି ଚେନ୍ନାଇ ଅମ୍ବତି ରାୟୁଡୁ(୫୫)ରନ ଜରିଆରେ ୫ ଓ୍ଵିକେଟ୍ ହରାଇ ୧୩୬ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଶିଖର ଧାଓ୍ଵନ(୩୯) ଓ ସିମରନ ହେଟମାୟରଙ୍କ ଅପରାଜିତ ୨୮ ରନ ବଳରେ ୧୯.୪ ଓଭରରେ ୭ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ଏହି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇକୁ ପଛରେ ପକାଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ ଚେନ୍ନାଇ ୧୩ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ଦ୍ଵିତୀୟ ସ୍ଥାନକୁ ଖସିଛି।

୧୩୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀର ଦୁଇ ଓପନର ପୃଥ୍ଵୀ ଶ ଓ ଶିଖର ଧାଓ୍ଵନ ୨୪ ରନ ଯୋଡିଥିଲେ। ଧାଓ୍ଵନ ଗୋଟିଏ ପଟେ କ୍ରିଜରେ  ଛିଡା ହୋଇଥିବା ବେଳେ ଅନ୍ୟପଟେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍  ହରାଇ ଚାଲିଥିଲା। ଶ ବ୍ୟକ୍ତିଗତ ୧୮ ରନରେ ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର(୨) ସଅଳ ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ(୧୫) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ରିପଲ ପଟେଲ୍ କ୍ରିଜରେ କିଛି ସମୟ ରହି ବ୍ୟକ୍ତିଗତ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଶିଖର ଧାଓ୍ଵନ ୩୫ ବଲ୍‌ରୁ ୩ ଚୌକା ଓ ୨ ଛକା ଜରିଆରେ ୩୯ ରନରେ ପାଭିଲିୟନ ଫେରିଥିଲେ।

ଶେଷ ଆଡକୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ସିମରନ ହେଟମାୟର ଦ୍ରୁତ ୨୮ ରନ କରି ଦଳକୁ ବିଜୟୀ କରାଇଥିଲେ। କାଗିସୋ ରାବଡା ଦିଲ୍ଲୀ ପାଇଁ ବିଜୟ ସୂଚକ ଚୌକା ମାରି ଦଳକୁ ଜିତାଇଥିଲେ। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୧୩ ରନରେ ୨ ଏବଂ ରବୀନ୍ଦ୍ର ଜାଡେଜା ୨ ସଫଳତା ପାଇଥିଲେ। ସେହି ପରି ଦୀପକ ଚହର, ଜୋସ ହେଜେଲଉଡ ଓ ଡ୍ଵେନ ବ୍ରାଭୋ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.