ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବେଙ୍ଗାଲୁରୁକୁ ୧୯୭ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | October 05, 2020 IST

ଦୁବାଇ ୦୫।୧୦: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୧୯ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ମୁଖରେ ୧୯୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଅପରାଜିତ ୫୩ ରନ ଓ ପୃଥ୍ଵୀ ସଙ୍କ ୪୨ ରନ ସହାୟତାରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି। ଏହା ପୂର୍ବରୁ ଦୁଇ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳି ତିନୋଟିରେ ବିଜୟ ହାସଲ କରିଛନ୍ତି। ଆଜିର ମ୍ୟାଚ୍ ଯେଉଁ ଦଳ  ଜିତିବ ସେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନିତ ହେବ।

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇ ଓପନର ପୃଥ୍ଵୀ ସ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୬.୪ ଓଭରରୁ ପ୍ରଥମ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡିଥିଲେ। ପୃଥ୍ଵୀ ସ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୩ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୪୨ ରନ କରି ସିରାଜ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପରେ ଶିଖର ଧାଓ୍ଵନ୩୨ ରନ କରି ବିଦାୟ ନେଇଥିଲେ। ଚମତ୍କାର ଫର୍ମରେ ଥିବା ଅଧିନାୟକ ଶ୍ରେୟସ ଆୟର ଆଜି ବିଫଳ ହୋଇ ମାତ୍ର ୧୧ ରନ କରି ପାଭିଲିୟନ ଫେରିଥିଲେ।

wp:html /wp:html

୯୦ ରନରେ ୩ ଓ୍ଵିକେଟ୍ ହରାଇବା ପରେ ମାର୍କସ ଷ୍ଟୋଇନିସ ଓ ଋଷଭ ପନ୍ତ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ। ବିଶେଷ କରି ମାର୍କସ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପନ୍ତ ୨୫ ବଲରୁ ୩ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରି ମହମ୍ମଦ ସିରାଜଙ୍କ ଦ୍ଵିତୀୟ ଶିକାର  ହୋଇଥିଲେ। ଷ୍ଟୋଇନିସ ଓ ପନ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୮୯ ଯୋଡିଥିଲେ। ଷ୍ଟୋଇନିସ୍ ୨୪ ବଲରୁ ଆଇପିଏଲରେ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୬ ବଲରୁ ୬ ଚୌକା ୨ ଛକା ଜରିଆରେ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ।  ହେଟମାୟର ୧୧ ରନ କରି ଅପରାଜିତ ଥିଲେ।  ଷ୍ଟୋଇନିସଙ୍କ ଅର୍ଦ୍ଧଶତକୀୟ ଇନିଂସ ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୬ ରନ କରିଛି।

ରୟାଲ  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ମହମ୍ମଦ ସିରାଜ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଇସୁରୁ ଉଦାନା ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.