ଶିଖରଙ୍କ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | October 11, 2020 IST

ଆବୁଧାବି ୧୧।୧୦: ଶିଖର ଧାଓ୍ଵନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୨୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଛି। ଦିଲ୍ଲୀ ଓପନର ଶିଖର ଧାଓ୍ଵନଙ୍କ ୬୯ ଏବଂ ଅଧିନାୟକ ଶ୍ରେୟସ ଆୟରଙ୍କ ୪୨ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି। ମୁମ୍ବାଇ ପକ୍ଷରୁ କୃଣାଲ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ ସେ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଯିବ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ପୃଥ୍ଵୀ ସ ୪ ରନ କରି  ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ।  ପରେ ୨୪ ରନ ସ୍କୋରରେ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଆଜିଙ୍କ୍ୟ ରାହାଣେ ୧୫ ବଲରୁ ୩ ଚୌକା ସହ ୧୫ ରନ କରି କୃଣାଲ ପାଣ୍ଡ୍ୟାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ଶ୍ରେୟସ ଆୟର ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୮୫ ରନ ଯୋଡି ଦଳର ସ୍କୋରକୁ ୧୦୯ରେ ପହଞ୍ଚାଇଥିଲେ। ହେଲେ ଶ୍ରେୟସ ଆୟରଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ମୁମ୍ବାଇକୁ ବଡ ସଫଳତା ଦେଇଥିଲେ। ଶ୍ରେୟସ ୩୩ ବଲରୁ ୫ ଚୌକା ସହ ୪୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ଆଇପିଏଲରେ ୩୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।

ଫର୍ମରେ ଚାଲୁଥିବା ମାର୍କସ ଷ୍ଟୋଇନିସ୍‌ ରନ ଆଉଟ୍ ହେବା ଦିଲ୍ଲୀର ରନଗତି ଧିମା ପଡିଥିଲା। ଷ୍ଟୋଇନିସ୍ ୮ ବଲରୁ ୧୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଶିଖର ଧାଓ୍ଵନ ୫୨ ବଲରୁ ୬ ଚୌକା ଓ ୧ ଛକା ବଳରେ ୬୯ ରନ ଏବଂ ଆଲେକ୍ସ କେରି ୯ ବଲରୁ ୧୪  ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି।

ମୁମ୍ବାଇ ପକ୍ଷରୁ କୃଣାଲ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.