Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ: ଜାରି ହେଲା BJPର ଘୋଷଣାପତ୍ର, ଗରିବଙ୍କୁ ମିଳିବ କେଜି ପିଛା ୨ ଟଙ୍କା ଦରରେ ଅଟା

31/01/2020 at 8:02 PM

ନୂଆଦିଲ୍ଲୀ ୩୧।୧: ବିଧାନସଭା ନିର୍ବାଚନ ଲାଗି ଦିନ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ଏଥିରେ ଶୁକ୍ରବାର ଦିଲ୍ଲୀ ବିଜେପିର ଘୋଷଣାପତ୍ର (ମେନିଫିଷ୍ଟୋ) ଜାରି ହୋଇଛି।  ଭୋଟରଙ୍କୁ ଆକର୍ଶିତ କରିବା ଲାଗି  ଦଳ ନାନା ଲୋଭନୀୟ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜଧାନୀର ଗରିବଙ୍କୁ  କେଜି ପିଛା ୨ ଟଙ୍କା ଦରରେ ଉତ୍ତମ ଗୁଣମାନର ଅଟା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

ବିଜେପିର ମେନିଫିଷ୍ଟୋ ‘ଦିଲ୍ଲୀ  ସଂକଳ୍ପ ପତ୍ର’ ନାମରେ ଜାରି ହୋଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି, ଡା.ହର୍ଷବର୍ଦ୍ଧନ ଓ ପ୍ରଦେଶ ସଭାପତି ମନୋଜ ତିୱାରୀଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଉନ୍ମୋଚିତ ହୋଇଥିଲା। ଏଥିରେ ପ୍ରତି ଘରକୁ ସ୍ୱଚ୍ଛ ପାନୀୟ ଜଳ, ଆର୍ଥିକ ଦୁର୍ବଳ ବର୍ଗର ପରିବାରର ପ୍ରଥମ ୨ ଝିଅ ୨୧ ବର୍ଷ ବୟସରେ ଉପନୀତ ହେଲେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସାଙ୍ଗକୁ ଛାତ୍ରୀମାନଙ୍କୁ ନିଶୁଳ୍କ ଇଲେକ୍ଟ୍ରିକ୍ ସ୍କୁଟି ଓ ଆର୍ଥିକ ଦୁର୍ବଳ ବର୍ଗର ନବମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାଇକେଲ ପ୍ରଦାନ ଲାଗି ପ୍ରତିଶ୍ରୁତି ଦିଆଯାଇଛି।

ଏହା ଛଡା ଗରିବ ବିଧବା ମହିଳାଙ୍କ କନ୍ୟା ବିବାହରେ ଦଳ ପକ୍ଷରୁ ୫୧ ହଜାର ଟଙ୍କାର ସ୍ୱତନ୍ତ୍ର ଉପହାର ଯୋଜନା, ଅନଧିକୃତ କଲୋନୀରେ ରହୁଥିବା ୪୦ ହଜାର ଲୋକଙ୍କୁ ମାଲିକାନା ହକ୍ ପ୍ରଦାନ ସାଙ୍ଗକୁ ସେସବୁ କଲୋନୀର ବିକାଶ ନିମନ୍ତେ ଡେଭଲପମେଣ୍ଟ ବୋର୍ଡ ଗଠନ ଲାଗି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ବ୍ୟବସାୟୀଙ୍କ ପ୍ରୋତ୍ସାହନ ନିମନ୍ତେ ରାଜଧାନୀର ୧୦ ଲକ୍ଷ ବ୍ୟବସାୟୀଙ୍କ ଦୋକାନ ଓ ଅଫିସକୁ ଲିଜ ହୋଲ୍ଡରୁ ଫ୍ରି ହୋଲ୍ଡ କରାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।

ସଂକଳ୍ପ ପତ୍ରରେ ରାଜଧାନୀର ପ୍ରଦୂଷଣ ସ୍ତର ହ୍ରାସକୁ ବି ପ୍ରାଥମିକତା ଦେଇଛି ବିଜେପି। ଯମୁନା ଓ ଆଖପାଖ ଅଞ୍ଚଳର ବିକାଶ ଓ ସ୍ୱଚ୍ଛତା ଲାଗି ଯମୁନା ବିକାଶ ବୋର୍ଡ ଗଠନର ପ୍ରତିଶ୍ରୁତି ଦେଇଛି ଦଳ। ସେହିପରି ରାଜଧାନୀର ୧୦ ଲକ୍ଷ ବେକାରଙ୍କୁ ୫ ବର୍ଷ ମଧ୍ୟରେ ରୋଜଗାର କ୍ଷମ କରିବାର ବି ପ୍ରତିଶ୍ରୁତି ରହିଛି ଏଥିରେ। ଯେଉଁ କର୍ମଚାରୀମାନେ କଣ୍ଟ୍ରାକଚୁଆଲ କାମ କରୁଛନ୍ତି ସେମାନେ ସେହି ପଦବୀରେ ୫୮ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଜବ ଗ୍ୟାରେଣ୍ଟି ଦିଆଯିବ ବୋଲି ଦଳ ସଂକଳ୍ପ କରିଛି।    

   Related Posts