ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ସହର : ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ
17/11/2019 at 9:02 AM

ନୂଆଦିଲ୍ଲୀ ୧୭।୧୧: ନୂଆଦିଲ୍ଲୀ ସବୁଠୁ ପ୍ରଦୂଷିତ ସହର । ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଅତି ବିପଦଜନକ ସ୍ଥିତିରେ ପହଞ୍ଚିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ଏହା ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଆଇକ୍ୟୁ ଏୟାର ଭିଜୁଆଲ ନାମକ ସ୍ବିଜରଲାଣ୍ଡର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟରେ ବିଶ୍ବର ଷଷ୍ଠ ସ୍ଥାନରେ କଲିକତା ଏବଂ ନବମ ପ୍ରଦୂଷିତ ସହର ଭାବେ ମୁମ୍ବାଇର ନାମ ସ୍ଥାନିତ ହୋଇଛି ।

ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ସର୍ବାଧିକ ସମୟ ଧରି ପ୍ରଦୂଷଣ ଲାଗି ରହିଛି । ଏ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦିଲ୍ଲୀର ପ୍ରଦୂଷଣ ସ୍ତର ବିପଜ୍ଜନକ ରହିଛି । ଯାହାଦ୍ବାରା ସମସ୍ତ ସହରବାସୀ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଶନିବାର ଦିଲ୍ଲୀର ପ୍ରଦୂଷଣ ସ୍ତର ୪୦୨ ଥିବା ରେକର୍ଡ କରାଯାଇଛି । ଏଥିନେଇ ଦୁଇ ଦିନ ଧରି ସହରର ସ୍କୁଲଗୁଡିକୁ ବନ୍ଦ ରଖାଯାଇଥିଲା।

ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ଦୂର କରିବା ଲାଗି ବାୟୁ ବିଶୋଧନ ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଚୀନର ୪ ପ୍ରମୁଖ ସହର ଚେଙ୍ଗଡୁ, ଗୁଆଙ୍ଗଝୋଉ, ଚୋଙ୍ଗକ୍ବିଙ୍ଗ ଏବଂ ବେଜିଂ ମଧ୍ୟ ବିଶ୍ବର ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ ରହିଛି । ପାକିସ୍ତାନର ଲାହୋର ତୃତୀୟ, ଉଜବେକିସ୍ତାନର ତାସକେଣ୍ଟ ଚତୁର୍ଥ ଏବଂ ନେପାଳର କାଠମାଣ୍ଡୁ ସପ୍ତମ ସ୍ଥାନରେ ରହିଛି ।