ଦିଲ୍ଲୀ AIIMS ଡାକ୍ତର କରୋନା ପଜିଟିଭ୍ : ଓ୍ବାର୍ଡକୁ ହେଲେ ସିଫ୍ଟ, ସ୍କାନ୍‌ରେ ପୂରା ପରିବାର

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୨।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବରେ ବ୍ୟାପୁଛି । ମୋହାଲା କ୍ଲିନିକର ଦୁଇ ଜଣ ଡାକ୍ତରଙ୍କ ପରେ ବର୍ତ୍ତମାନ AIIMSର ରେସିଡେଣ୍ଟ ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଇଛି । କରୋନା ପରୀକ୍ଷା କରିବା ପରେ ସଂପୃକ୍ତ ଡାକ୍ତରଙ୍କୁ AIIMSରେ ପ୍ରସ୍ତୁତ ପ୍ରାଇଭେଟ୍ ୱାର୍ଡକୁ ସିଫ୍ଟ କରାଯାଇଛି । AIIMS କର୍ତ୍ତୃପକ୍ଷ କହିଛନ୍ତି ଯେ ଡାକ୍ତର ସଂକ୍ରମିତ ହେବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ।

ଦିଲ୍ଲୀର AIIMSର ରେସିଡେଣ୍ଟ ଡାକ୍ତର କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବାରୁ ରାଜଧାନୀର ମୋଟ୍ ୮ ଜଣ ଡାକ୍ତର ଏହି ମାରାତ୍ମକ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି ଏବଂ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଚିକିତ୍ସିତ ହେଉଛନ୍ତି ।
କୁହାଯାଉଛି ଯେ ଏହି ଡାକ୍ତରମାନେ AIIMSର ଫିଜିଓଲୋଜି ବିଭାଗରେ କାମ କରନ୍ତି । ଏହି ସଂକ୍ରମଣ ବିଷୟରେ ଜଣାପଡିବା ପରେ ଏହି ବିଭାଗରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ।

ସୂଚନା ଅନୁସାରେ, AIIMSରେ କରୋନା ପଜିଟିଭ୍ ଥିବା ଡାକ୍ତରଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛ । ଜଣେ ସିନିୟର ରେସିଡେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ଯାଞ୍ଚ କରାଯାଉଛି । ଏଥିସହ ସମ୍ପୃକ୍ତ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରାଯାଇଛି ।

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମିତ ଡାକ୍ତରଙ୍କ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଦୁଇଟି ମୋହଲା କ୍ଲିନିକ୍ ଏବଂ ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଏହି ମାରାତ୍ମକ ସଂକ୍ରମଣର ସମ୍ମୁଖୀନ ହୋଇଥିଲେ । COVID-19 ସଂକ୍ରମଣରେ ବହୁ ସଂଖ୍ୟକ ସାଧାରଣ ଲୋକ ମଧ୍ୟ ଆସୁଛନ୍ତି । ଏହି ସଂକ୍ରମଣ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟରେ ବ୍ୟାପିଛି । ତେବେ ଏହାର ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଲାଗୁ କରାଯାଇଛି । ଏହା ବ୍ୟତୀତ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି, ଯାହାଫଳରେ ଲୋକମାନେ ବାହାରକୁ ନଯାଇ ନିଜ ଘରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.