ଦେହ ବେପାରରେ ବାଂଲାଦିଦିଙ୍କ ନୂଆ ବିଜନେସ୍ ଷ୍ଟ୍ରାଟେଜି ,ଏବେ ହୋମ୍ ଡେଲିଭରି

Published By : Prameya-News7 Bureau | February 06, 2020 IST

ଭୁବନେଶ୍ୱର ୬/୨: ଏବେ ସେକ୍ସ ରାକେଟ୍ ଜୋରଦାର ଧରପଗଡ଼ ଚାଲିଥିବାବେଳେ ଏକ ନୂଆ ବିଜନେସ୍ ଷ୍ଟ୍ରାଟେଜି ଆରମ୍ଭ କରିଥିଲେ ଦଲାଲ। ସେଥିପାଇଁ ହୋମ୍ ଡେଲିଭରି ଜରିଆରେ ଯୁବତୀଙ୍କୁ ଗ୍ରାହକଙ୍କ ଘରକୁ ସପ୍ଲାଏ କରିବାର ବାଟ ଆପଣେଇଲେ ଦଲାଲ। ବୁଧବାର ଏମିତି ଜଣେ ରୂପଜୀବୀଙ୍କୁ ଦଲାଲ୍‌ ହୋମ୍‌ ଡେଲିଭରି କରିବା ସମୟରେ ପୁଲିସ୍‌ ଅଧା ବାଟରୁ ଝାମ୍ପି ନେଇଛି । ଦୁଇ ଦଲାଲ ଓ ଲଳନା ଏବେ ଏସ୍‌ଟିଏଫ୍‌ କବ୍‌ଜାରେ। ଦଲାଲମାନେ ହେଲେ ବ୍ରହ୍ମପୁରର ପଞ୍ଚାନନ ପାଢ଼ୀ ଓ ତାଙ୍କ ପତ୍ନୀ ପ୍ରୀତି ପାଢ଼ୀ । ତେବେ ଅନ୍ୟ ୨ ଜଣ ସେଠାରୁ ଖସି ପଳାଇଛନ୍ତି । ଏସ୍‌ଟିଏଫ୍‌ ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ।

ବାଂଲାଦେଶୀ ରୂପଜୀବୀଙ୍କୁ ଅଞ୍ଜଳି ଦିଦି ଓ ଇବ୍ରାହିମ୍‌ ଓଡ଼ିଶା ଆଣି ଏଠାରେ କାରବାର କରୁଥିଲେ । ବାଂଲା ଯୁବତୀଙ୍କୁ ନକଲି ପରିଚୟପତ୍ର, ଆଧାର କାର୍ଡ ଦେଇ ଭୁବନେଶ୍ୱରରେ ରଖୁଥିଲେ । ଜାନୁଆରୀ ମାସରେ ଏସ୍‌ଟିଏଫ୍‌ ଦିଦିର ଆଡ୍ଡା ଉପରେ ଚଢ଼ଉ କରି ଲଳନାଙ୍କୁ ଧରିଥିଲା । ତା’ପରେ ଦିଦିର ସହଯୋଗୀଙ୍କୁ ଗିରଫ କରିଥିଲା ପୁଲିସ୍‌ । ଏହାପରେ ଦଲାଲ୍‌ମାନେ ତାଙ୍କ ଆଡ୍ଡାରେ ଦେହ ବେପାର ବନ୍ଦ କରି ଦେଇଥିଲେ । ଏସ୍‌ଟିଏଫ୍‌ ଭାବିଥିଲା ଏମାନେ ରାଜ୍ୟ ଛାଡି ଚାଲି ଗଲେ ବୋଲି । ହେଲେ ଦଲାଲମାନେ ନିଜ ଆଡ୍ଡାରେ ନକରି ଅନ୍‌ଲାଇନ୍‌ରେ ଦେହ ବେପାର ଆରମ୍ଭ କରିଥିଲେ । ନିଜ ଆଡ୍ଡାରେ ବେପାର କଲେ ପୁଲିସ୍‌ ଚଢ଼ଉ କରିବ ସେଥିପାଇଁ ଗଳାବାଟ ଖୋଜିଥିଲେ ଦଲାଲମାନେ । ଗ୍ରାହକ ଅନ୍‌ଲାଇନ୍‌ରେ ଲଲନାଙ୍କୁ ପସନ୍ଦ କରିବା ପରେ ଦରଦାମ୍‌ ଫିକ୍ସ କରାଯାଉଥିଲା । ଏହାପରେ ଦଲାଲ୍‌ ଲଳନାଙ୍କୁ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇ ଦେଉଥିଲା । ଏ ବିଷୟରେ ପୁଲିସ୍‌ କିଛି ଟେର ପାଉ ନଥିଲା । ଦିଦି ଗିରଫ ପରେ ମଧ୍ୟ ପଞ୍ଚାନନ ଓ ତାଙ୍କ ପତ୍ନୀ ଏମିତି ଚଳାଇଥିଲେ ତାଙ୍କ ବେପାର ।

ଗତ ସପ୍ତାହରେ ଏସ୍‌ଟିଏଫ୍‌ର ଅଧିକାରୀମାନେ କିଛି ତଥ୍ୟ ପାଇଥିଲେ । ତା’ ପରେ ପଞ୍ଚାନନଙ୍କୁ ଧରିବା ପାଇଁ ଯୋଜନା କରୁଥିଲେ। ବୁଧବାର ଅପରାହ୍ଣରେ ଧଉଳିର ଜଣେ ଜଣାଶୁଣା ବିଲ୍ଡରଙ୍କ ନିକଟକୁ ଲଲନା ନେଇ ଯାଉଥିଲେ ଦଲାଲ ପଞ୍ଚାନନ। ଏସ୍‌ଟିଏଫ୍‌ ପଞ୍ଚାନନଙ୍କୁ ଅଧାବାଟରୁ ଉଠାଇ ନେଇଥିଲା । ପରେ ପଞ୍ଚାନନଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରିଥିଲା ଏସ୍‌ଟିଏଫ୍‌। ସନ୍ଧ୍ୟାରେ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାନୁଆରୀ ୨୧ ତାରିଖରେ ଦିଦି ଆଡ୍ଡାରେ ପୁଲିସ୍‌ ଚଢ଼ଉ କରି ୬ଜଣ ବାଂଲା ଯୁବତୀଙ୍କୁ ଧରିଥିଲା । ବୁଧବାର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.