୨ ଯୁବତୀ ୧୦ ଯୁବକ, ଦେହ ବେପାର ପାଇଁ ବଡଦାଣ୍ଡରେ ଡିଲ୍ ! ପୋଲିସ କହୁଛି ଗୋଟିଏ ପରିବାରର ସଦସ୍ୟ

Published By : Prameya-News7 Bureau | October 19, 2021 IST

ପୁରୀ,୧୯/୧୦: ରବିବାର ରାତିରେ ବଡ଼ଦାଣ୍ଡରୁ ୨ ଯୁବତୀଙ୍କ ସମେତ ୧୨ ଜଣଙ୍କୁ କୁମ୍ଭାରପଡ଼ା ଥାନା ପୁଲିସ ଉଠାଇ ନେଇଥିଲା । ଏମାନେ ଦେହ କାରବାରରେ ସମ୍ପୃକ୍ତ ଥିବା ନେଇ ସୁରାକ୍‌ ମିଳିବା ପରେ ପୁଲିସ ସେମାନଙ୍କୁ ନୋଟିସ୍‌ ଦେଇ ଛାଡ଼ି ଦେଇଛି ।

ରବିବାର ରାତି ପ୍ରାୟ୨ଟା । ବଳଗଣ୍ଡି ଛକରେ ପହଞ୍ଚିଥିଲା ଏକ କାର୍‌ ସହ ୨ ଗିଅର ବିହୀନ ସ୍କୁଟର୍‌ ଓ ଏକ ବାଇକ । ଏଥିରେ ୨ଜଣ ଯୁବତୀ ଓ ୧୦ ଜଣ ଯୁବକ ଥିଲେ । ଜଣେ ଯୁବତୀଙ୍କ ଏକ ଶିଶୁ ପୁତ୍ର ମଧ୍ୟ ଥିଲା । ବଡ଼ଦାଣ୍ଡରେ ଛିଡ଼ା ହୋଇ ଏମାନେ କିଛି ସମୟ ଧରି ଆଲୋଚନା କରିଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଘେରିଥିଲା । ପୁଲିସକୁ ଦେଖି ୧୨ ଜଣ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୁଲିସ ଟିମ୍‌ ଘଟଣାସ୍ଥଳରୁ ଜଣେ ଯୁବତୀ ସମେତ ୭ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ୪ ଜଣ ଦୌଡ଼ି ପଳାଇଥିଲେ । ଅନ୍ୟ ଜଣେ ଯୁବତୀ ବଡ଼ଦାଣ୍ଡ ପାଶ୍ୱର୍ ଏକ କ୍ୟାବିନ୍‌ ତଳେ ପଶି ଶୋଇ ପଡିଥିଲେ । ପୁଲିସ ଖୋଜାଖୋଜି କରି ଯୁବତୀଙ୍କୁ କ୍ୟାବିନ୍‌ ତଳୁ ବାହାର କରିଥିଲା । ପ୍ରଥମେ ମୋଟ ୮ ଜଣଙ୍କୁ ଥାନାକୁ ନେଇ ଜେରା କରିବା ଆରମ୍ଭ କରିଥିଲା । ଅଟକ ୨ ଯୁବତୀ ଓ ୫ଜଣ ଯୁବକ ଭୁବନେଶ୍ୱରରୁ ଆସିଥିବା ଜଣାପଡିଥିଲା । ଅନ୍ୟ ଜଣେ ଯୁବକ ପୁରୀ ମଙ୍ଗଳାଘାଟ ଅଞ୍ଚଳର ଜଣେ କାର୍‌ ଚାଳକ ବୋଲି ଜଣାପଡିଥିଲା । ଖସିଯାଇଥିବା ୪ ଜଣ ଏହି ଯୁବକର ସାଥୀ କାର୍‌ ଚାଳକ ବୋଲି ପୁଲିସ ଜାଣିବାକୁ ପାଇଥିଲା । ତେଣୁ ଏହି ୪ ଜଣଙ୍କ ପରିଚୟ ଖୋଜି ପୁଲିସ ଥାନାକୁ ଆଣି ମୋଟ ୧୨ ଜଣଙ୍କୁ ପଚରାଉଚରା କରିଥିଲା ।

ପ୍ରଥମେ ଏମାନେ ବ୍ରାଉନ୍‌ସୁଗର୍‌ କାରବାର କରୁଥିବା ସନ୍ଦେହ କରିଥିଲା ପୁଲିସ । ଭୁବନେଶ୍ୱରର ଗ୍ୟାଙ୍ଗ୍‌ କହିଥିଲେ ଯେ, ସେମାନେ ୩ଟି ୨ ଚକିଆ ଗାଡ଼ିରେ ୭ଜଣ ପୁରୀ ବୁଲିବାକୁ ଆସିଥିଲେ । ପୁରୀର ୫ ଜଣ ଯୁବକ କାର୍‌ ନେଇ ତେଇଶିପୁରରୁ ୨ ଯୁବତୀଙ୍କୁ ଆଣିଥିଲେ । ଏମାନେ ଏକ ହୋଟେଲ୍‌ରେ ରହିବାକୁ ଯାଉଥିଲେ । କିନ୍ତୁ ୨ଯୁବତୀଙ୍କ ଛଡା ଅନ୍ୟମାନଙ୍କ ପାଖରେ କୌଣସି ପ୍ରମାଣପତ୍ର ନଥିବାରୁ ପୁଲିସର ସନ୍ଦେହ ବଢିଥିଲା । ଦୀର୍ଘ ୨ ଘଣ୍ଟା କାଳ ଛାନ୍‌ଭିନ୍‌ ପରେ ମୋବାଇଲ୍‌ ଯାଞ୍ଚ କରିବାରୁ ଦେହ ବ୍ୟବସାୟରେ ଏମାନଙ୍କ ଲିଙ୍କ୍‌ ଥିବା ପୁଲିସ ଜାଣିବାକୁ ପାଇଥିଲା ।ଏପରିକି ଯୁବତୀ କହିଥିଲେ ଯେ, ପରିସ୍ଥିତିରେ ପଡି ଏଭଳି କାମ କରିବାକୁ ଆମେ ବାଧ୍ୟ ହେଉଛୁ । ଏପରିକି ଗତ ୧୫ ତାରିଖରେ ମଧ୍ୟ ଯୁବତୀ ପୁରୀ ଆସି ହୋଟେଲ୍‌ରେ ସମୟ କାଟିଥିବା ଜଣାପଡିଥିଲା । ଏହି ଗ୍ୟାଙ୍ଗ୍‌ ପୁରୀର ୫ ଯୁବକଙ୍କୁ ନେଇ ର‌୍ୟାକେଟ୍‌ ଚଳାଉଥିବା ସାମ୍ନାକୁ ଆସିଥିଲା । ମଙ୍ଗଳାଘାଟର ଜଣେ ମହିଳା ମଧ୍ୟ ଏହି ର‌୍ୟାକେଟ୍‌ରେ ସମ୍ପୃକ୍ତ ଥିବା ଯୁବତୀ କହିଥିଲେ ।

ଏନେଇ ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି ଯେ,ଏମାନେ ହୋଟେଲ୍‌ ରୁମ୍‌ ଖୋଜୁଥିଲେ । ଆମେ ଆଣି ଜେରା କରିବା ପରେ ଜଣାପଡ଼ିଥିଲା ଯେ, ସେମାନେ ପରିବାର ସହ ଆସିଥିଲେ । ୩ଟି ଦୁଇଚକିଆ ଗାଡି ଥାନାରେ ରଖି ଆମେ ନୋଟିସ୍‌ ଦେଇ ସେମାନଙ୍କୁ ଛାଡିଛୁ । ଏମାନଙ୍କ ମଧ୍ୟରେ ଦୁଇଜଣ ଯୁବକ ଓ ଯୁବତୀ ଦମ୍ପତି ବୋଲି ପରିଚୟ ଦେଉଥିବାବେଳେ ଯୁବତୀଙ୍କ ଆଧାର କାର୍ଡରେ ସ୍ୱାମୀ ଭାବେ ଅନ୍ୟ ଜଣଙ୍କ ନାମ ରହିଛି । ଆବଶ୍ୟକ ପ୍ରମାଣପତ୍ର ନଦେଖି ସେମାନେ ଗୋଟିଏ ପରିବାର ବୋଲି ଆଇଆଇସି କେମିତି କହୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମସ୍ତଙ୍କ କଥାରେ ତାଳମେଳ ନଥିବାରୁ କେବଳ ଦେହ ବେପାର ନା ଆଉକିଛି ରହସ୍ୟ ଅଛି ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.