Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲୁଖଣ୍ଡ ଅଭୟାରଣ୍ୟରେ ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ : ବାତ୍ୟା ଫୋନୀ ସେମାନଙ୍କର କିଛି କରିପାରିନି କହିଲା ବନବିଭାଗ

14/05/2019 at 5:49 PM

ପୁରୀ ୧୪|୫; ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ବାତା ଫୋନିରେ ଉଜୁଡ଼ି ଯାଇଥିବା ବେଳେ ଏଥିରେ ଥିବା ଜୀବଯନ୍ତୁଙ୍କ ଅବସ୍ଥା ଏବେ ପ୍ରଶ୍ନ ହୋଇଛି। ତେବେ ବନ ବିଭାଗ କହିଛି ହରିଣଙ୍କ ବାତ୍ୟା ପବନ ସହିବାର ଦକ୍ଷତା ଅଛି। ଏବଂ ସେମାନେ ଏବେ ସୁରକ୍ଷିତ ଅଛନ୍ତି। କେବଳ ଯାହା ଜଙ୍ଗଲ ଉଜୁଡ଼ିଯାଇଥିବାରୁ ସେମାନଙ୍କ ରହିବା ଖାଇବା ପାଇଁ ଏବେ ବ୍ୟବସ୍ଥା କରାଯିବ। ……

ବାଲୁଖଣ୍ଡରେ ହରିଣମାନେ ସୁରକ୍ଷିତ ଅଛନ୍ତି । ଜଳାଶୟକୁ ପାଣି ପିଇବାକୁ ଆସୁଛନ୍ତି। ସେମାନଙ୍କ ସୁରକ୍ଷା ଲାଗି ଘାସ ଦିଆଯିବ । ୧୪ କୋଟିର ବଜେଟ ହେବ । ବାଲୁଖଣ୍ଡ ହରିଣଙ୍କ ଅବସ୍ଥା ନେଇ ଆଜି ଏମିତି କିଛି ସ୍ପଷ୍ଟ କରିଛି ବନ ବିଭାଗ।  ବାତ୍ୟା ଫୋନି ପରେ ବାଲୁଖଣ୍ଡ ଅଭୟାରଣ୍ୟର ଜୀବଜନ୍ତୁ, ବିଶେଷ କରି ହରିଣଙ୍କ ଅବସ୍ଥା ନେଇ ନାନାଦି ପ୍ରଶ୍ନ ଉଠିଥିଲା । ୧୧ ଦିନ ପରେ ଏବେ ଜଙ୍ଗଲ ବିଭାଗ କହିଛି ଯେ ବାଲୁଖଣ୍ଡରୁ କେବଳ ଗୋଟିଏ ହରିଣ ଓ ଗୋଟିଏ ବିଲୁଆର ମୃତଦେହ ମିଳିଛି । ଅଭୟାରଣ୍ୟର ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ସଫା କରାଯାଉଛି । ଜଳାଶୟ ନିକଟରେ ଘାସ ରଖାଯାଉଛି। ଏହାଛଡ଼ା ଉଜୁଡ଼ା ଜଙ୍ଗଲ ଉପରେ ଡ୍ରୋନ୍ କ୍ୟାମେରା ଦ୍ବାରା ସ୍ଥିତିର ଅନୁଧ୍ୟାନ କରାଯିବ ବୋଲି ପିସିସିଏଫ କହିଛନ୍ତି। 

ପୁରୀ-କୋଣାର୍କ ସାମୁଦ୍ରିକ ବେଳାଭୂମି ମାର୍ଗରେ ଥିବା  ୬୧ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି ବାଲୁଖଣ୍ଡ ଅଭାୟରଣ୍ୟ। ଚିତ୍ରା ହରିଣଙ୍କ ଲାଗି ପ୍ରସିଦ୍ଧ ଏହି ଅଭୟାରଣ୍ୟ। ସ୍ଥିତି ବୁଝିବାକୁ ଦେଖନ୍ତୁ ଏହି ୨ ଚିତ୍ରକୁ । ଗୋଟିଏ ଫୋନି ପୂର୍ବର, ଆରଟି ଫୋନି ପରର । ଜଙ୍ଗଲ ଏତେ ଘଞ୍ଚ ଯେ, ସୂର୍ଯ୍ୟ କିରଣ ତଳେ ପଡ଼ିବା ମୁସ୍କିଲ ଥିଲା । ହେଲେ ଏବେ ପୂରା ଅଞ୍ଚଳ ମରୁଭୂମି ଭଳି ଲାଗୁଛି । ବାଲୁଖଣ୍ଡ ଜଙ୍ଗଲର ତ ଅକାଳ ମୃତ୍ୟୁ ହେଲା, ହେଲେ ବାତ୍ୟା ସହ ଲଢେଇ କରି ଜୀବନ ବଞ୍ଚାଇଥିବା ଜୀବଜନ୍ତୁ ଏବେ କରିବେ କଣ? କେମିତି ଏମାନଙ୍କୁ ସୁରକ୍ଷିତ ରଖାଯାଇ ପାରିବ?

୧୯୧୭ରୁ ବାଲୁଖଣ୍ଡରେ ଆରମ୍ଭ ହୋଇଥିଲା ବୃକ୍ଷରୋପଣ । ୮୪ରେ ମିଳିଥିଲା ଅଭୟାରଣ୍ୟର ମାନ୍ୟତା । ଖାଲି ହରିଣ ନୁହେଁ, ମୟୂର, ମାଙ୍କଡ଼ ସହ ଅନେକ ବିରଳ ଜୀବଜନ୍ତୁଙ୍କୁ ନିଜ ପଣତରେ ଆଶ୍ରୟ ଦେଇଥିଲା ଏହି ଜଙ୍ଗଲ । ପୁରୀ-କୋଣାର୍କକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଏହାର ସୌନ୍ଦର୍ଯ୍ୟ ବି ଥିଲା ଆକର୍ଷଣର କେନ୍ଦ୍ର । ଏବେ କିନ୍ତୁ ସବୁ ଉଜୁଡ଼ି ଯାଇଛି । ବନବିଭାଗ ଆଶ୍ବାସନା ଦେଉଛି ଯେ ହରିଣ ବଞ୍ଚିଛନ୍ତି। ସେମାନଙ୍କୁ ବଞ୍ଚାଇ ରଖିବା ଲାଗି ୧୪ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯିବ।

   Related Posts