ମନରେଗା ଶ୍ରମିକଙ୍କ ଜବ୍ କାର୍ଡରେ ଦୀପିକା ପାଦୁକୋଣଙ୍କ ଫଟୋ, ଏମିତି ଚାଲିଛି ଟଙ୍କା ଲୁଟ୍‌ର ଖେଳ

Published By : Prameya-News7 Bureau | October 16, 2020 IST

ଭୋପାଳ ୧୬।୧୦: ମଧ୍ୟ ପ୍ରଦେଶର ଖରଗୋନରେ ଏକ ଗ୍ରାମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ସହିତ ଅନେକ ହିରୋଇନଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ଜବ୍ କାର୍ଡରେ ଲାଗିଛି। ପଞ୍ଚାୟତ ସଚିବ ଏବଂ ରୋଜଗାର ସହାୟକ ମିଶି ଏହି ଜବକାର୍ଡ ଜାଲିଆତି କରିଛନ୍ତି। ଅନଲାଇନ୍‌ ଜବକାର୍ଡରେ ଗାଁର ମହିଳା ଓ ପୁରୁଷଙ୍କ ସ୍ଥାନରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି। କେବଳ ଏତିକି ନୁହେଁ ଏହି ଜବ୍‌କାର୍ଡରେ ଶ୍ରମିକଙ୍କ ଟଙ୍କା ମଧ୍ୟ ଜାରି କରାଯାଇଛି। ଗାଁର ଅନେକ ଲୋକ ଜାଣି ନାହାନ୍ତି ଯେ, ସେମାନଙ୍କ ନାଁରେ ଟଙ୍କା ଆସିଛି, ସେ ପୁଣି ସେମାନେ କେବେ କାମରେ ଯାଇ ନାହାନ୍ତି।

ଜିଲ୍ଲା ମୁଖ୍ୟାଳୟଠୁ ୭୦ କିଲୋମିଟର ଦୂର ଝିରନିଆ ଜନପଦ ଗ୍ରାମ ପଞ୍ଚାୟତ ପିପଲଖେଡା ନାକାରେ ଫିଲ୍ମ ଅଭିନେତ୍ରୀଙ୍କ ନାମ ମହାତ୍ମା ଗାନ୍ଧୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ଜବ୍ କାର୍ଡରେ ଲଗାଯାଇଛି। ଗାଁ ଲୋକେ  କହିଛନ୍ତି, ସେମାନେ ତ କେବେ କାମରେ ଯାଇ ନାହାନ୍ତି। ତାଙ୍କ ନାମରେ କେମିତି ଟଙ୍କା ଆସିଛି  ଜଣାନଥିବା କହିଛନ୍ତି।

କେବଳ ଏତିକି ନୁହେଁ ସେମାନଙ୍କ ପାଖରେ ଥିବା ଜବକାର୍ଡରେ କ୍ରମାଙ୍କ ନମ୍ବରରେ ମଧ୍ୟ ଫରକ ରହିଛି। କିଛି କୃଷକ ଏମିତି ଥିଲେ, ଯାହାଙ୍କ ୫୦ ଏକର ଜମି ଥିବା ସତ୍ଵେ ବି ତାଙ୍କ ନାମରେ ଜବ୍ କାର୍ଡ ତିଆରି ହୋଇଛି। ସେଥିରେ ପୁଣି ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଫଟୋ ରହିଛି। ଗାଁରେ ଏମିତି ୧୫ଟି କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ଅଭିନେତ୍ରୀଙ୍କ ଫଟୋ ରହିଛି।

ଏହି ପୂରା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତର ସିଇଓ ଗୌରବ ବେନଲ କହିଛନ୍ତି। ସେମାନଙ୍କ ପାଖକୁ ନକଲି ଜବକାର୍ଡ ମାମଲା ଆସିଛି। ଏଥିରେ ଅଭିନେତ୍ରୀଙ୍କ ଫଟୋ ରହିଛି। ଏହି ଫର୍ଜି ଜବ କାର୍ଡ  ନାମରେ ଟଙ୍କା ମଧ୍ୟ ଜମା  ହୋଇଛି। କେଉଁ ଭଳି ଏମିତି ଜବକାର୍ଡ ପ୍ରସ୍ତୁତ ହେଲା ଏହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.