ଚାର୍ଟାର୍ଡ ବିମାନରେ ନୁହେଁ, ମର୍ସିଡିଜରେ ଗୋଆରୁ ମୁମ୍ବାଇ ଲୁଚି ଲୁଚି ଆସୁଛନ୍ତି ଦୀପିକା

Published By : Prameya-News7 Bureau | September 24, 2020 IST

ମୁମ୍ବାଇ ୨୪/୦୯: ଡ୍ରଗ୍ସ ଚାଟ୍‌ରେ ବଲିଉଡ୍ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଚୁପ୍ ଥିଲେ। ଏବେ କିନ୍ତୁ ସେ ଆଉ ଚୁପ୍ ନ ରହି ମୁହଁ ଖୋଲିଛନ୍ତି। ଦୀପିକା ପାଦୁକୋନଙ୍କ ଟିମ୍ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି )ଟିମକୁ ଅଭିନେତ୍ରୀ ତଦନ୍ତରେ ସହଯୋଗ କରିବେ। ସେ ଗୋଆ ଛାଡ଼ି ମୁମ୍ବାଇ ଅଭିମୁଖେ ବାହାରିସାରିଛନ୍ତି। ଏହା ସହ ଆସନ୍ତାକାଲି ଧାର୍ଯ୍ୟ ସମୟରେ ଦୀପିକା ଏନସିବି ଅଫିସରେ ପହଞ୍ଚିବେ। ତେବେ ଦୀପିକାଙ୍କ ତରଫରୁ ଏ କଥା ସାମ୍ନାକୁ ଆସିବା ପୂର୍ବରୁ ଗୋଆରେ ବଡ଼ ଡ୍ରାମା ଦେଖିବାକୁ ମିଳିଛି। ଏବେ ସେ ଚାର୍ଟାର୍ଡ ପ୍ଲେନରେ ନୁହେଁ ବରଂ ଗାଡ଼ିରେ ମୁମ୍ବାଇ ଆସୁଛନ୍ତି।

ଗତକାଲି ଏନସିବି ଦୀପିକାଙ୍କ ସମେତ ୫ ଜଣ ସେଲିବ୍ରିଟିଙ୍କୁ ସମନ ପଠାଇ ଥିଲା। ଆସନ୍ତାକାଲି ଏନସିବି ଜେରାକୁ ସାମ୍ନା କରିବେ ଦୀପିକା। ସୁଟିଂ କାମରେ ଦୀପିକା ଗୋଆରେ ଥିଲେ। ଆଜି ଦିପହର ୧ଟାରେ ଗୋଆ ରିସର୍ଟରୁ ବାହାରି କ୍ୟାମେରାଠାରୁ ଲୁଚି ଲୁଚି କଳା ମର୍ସଡିଜ୍ ଗାଡ଼ିରେ ମୁମ୍ବାଇ ଅଭିମୁଖେ ବାହାରିଲେ। ତାଙ୍କ ଗାଡ଼ି ଆଗରେ ଓ ପଛରେ ଥିଲା ଦୁଇଟି ଇନୋଭା ଗାଡ଼ି। ପ୍ରଥମରୁ ଲାଗିଲା ସେ ଏୟାରପୋର୍ଟ ଅଭିମୁଖେ ଯାଉଛନ୍ତି ମାତ୍ର ଆଖି ପିଛୁଳାକେ ତାଙ୍କ ଗାଡ଼ି ବେଗ ବଢ଼ାଇ ରୁଟ୍ ବଦଳାଇ ଦେଲା।

ଦେଖୁ ଦେଖୁ ତାଙ୍କ ଗାଡ଼ି ଗୋଆ-ମୁମ୍ବାଇ ହାଇଓ୍ବେରେ ଗଲା। ଗୋଆରୁ ମୁମ୍ବାଇ ଦୂରତ୍ବ ୨୭୫ କିମି। ଏଣୁ ଏବେ ତାଙ୍କୁ ମୁମ୍ବାଇ ପହଞ୍ଚିବାକୁ ୮-୯ ଘଣ୍ଟା ଲାଗିବ। ଡ୍ରଗ୍ ଚାଟ ଜଣାପଡ଼ିବା ପରେ ଗୋଆରେ ସେ କାହା ସହ କଥା ହେଉ ନ ଥିଲେ। ରୁମ ଭିତରେ ରହି ନିଜ ଓକିଲ ଓ ପରିବାର ଲୋକଙ୍କ ସହ ଭିଡ଼ିଓ କନଫରେନ୍ସରେ କଥା ହେଉଥିଲେ। ସବୁବେ​‌ଳେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ଦୀପିକା ଡ୍ରଗ୍ସ ଚାଟ୍ ପରେ ଗୋଟିଏ ବି ଶବ୍ଦ କହି ନାହାନ୍ତି। ଏବେ ଦେଖିବାର ଅଛି ଆସନ୍ତାକାଲି ସେ ଏନସିବି ସାମ୍ନାରେ ସତ ମାନୁଛନ୍ତି ନ ଅଭିଯୋଗକୁ ଖଣ୍ଡନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.