ୱେଲ୍ ମାର୍କ ଲୋ ପ୍ରେସରର ରୂପ ନେଲା ଲଘୁଚାପ : ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | May 14, 2020 IST

ଭୁବନେଶ୍ୱର ୧୪/୦୫ :  କରୋନା ଆତଙ୍କ ବେଳେ ବାତ୍ୟା ଆଶଙ୍କା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ଆଶଙ୍କା ସୃଷ୍ଟି କରିଛି । ଏହାର ପ୍ରଭାବ ଓଢ଼ିଶା ଉପରେ ପଡିବ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

'ୱେଲ୍ ମାର୍କ ଲୋ ପ୍ରେସର'ର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଘନୀଭୂତ ଲଘୁଚାପ । ଏହା ଅବପାତର ରୂପ ନେଇ ୧୬ ତାରିଖ ସଂଧ୍ୟା ବେଳକୁ ସାମୂଦ୍ରିକ ଝଡ଼ର ରୂପ ନେବ । ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଗତି ପରିବର୍ତ୍ତନ କରି ୧୮ ଏବଂ ୧୯ ତାରିଖ ଯାଏ ଉତ୍ତର-ଉତ୍ତର-ପୂର୍ବ ଦିଗରେ ପଶ୍ଚିମବଙ୍ଗ ଏବଂ ମିଆଁମାର ଆଡକୁ ମୁହାଁଇବ । ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ । ଏମିତି କିଛି ଆକଳନ କରିଛି ପାଣିପାଗ ବିଭାଗ ।

ଗତବର୍ଷ ମେ’ ମାସରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ଏବେ ବଙ୍ଗୋପସାଗରରେ ଲଗୁଚାପ ଲୋକଙ୍କ ମଧ୍ୟରେ ଛନକା ସୃଷ୍ଟି କଲାଣି । କିନ୍ତୁ ବାତ୍ୟ ଭୟ ନଥିବା ପାଣିପାଗ ବିଭାଗ କହିଛି । ଲଘୁଚାପ ପ୍ରଭାବରେ ୧୮ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଗଜପତି, ପୁରୀ, ଗଂଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ୧୯ ତାରିଖ ବେଳକୁ  ପ୍ରବଳ ବର୍ଷିବ । ଦକ୍ଷିଣ ଓଡିଶାରେ  ୧୮ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦  ଓ ୧୯ ତାରିଖରେ ଉପକୁଳ ଓଡିଶାରେ ୬୦ରୁ ୭୦ କିଲୋମିଟର ବେଗ​‌ରେ ପବନ ବହିବ । ୧୬ ତାରିଖ ସୁଦ୍ଧା ସମୁଦ୍ରରୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ତେବେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ଥିବା ୧୫ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ୭ଟି ଜିଲ୍ଲା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.