ଦାନାବାନ୍ଧୁଛି ଘୂର୍ଣ୍ଣିବାତ୍ୟା 'କ୍ୟାର', ୨୪ଘଣ୍ଟାରେ ନେଇପାରେ 'ସିଭିୟର ସାଇକ୍ଲୋନିକ ଷ୍ଟର୍ମ'ର ରୂପ

Published By : Prameya-News7 Bureau | October 25, 2019 IST

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବ-ମଧ୍ୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା 'କ୍ୟାର' ଲାଗି ସତର୍କତା ଜାରି କରିଛନ୍ତି। ଏହାର କେନ୍ଦ୍ରସ୍ଥଳ ମହାରାଷ୍ଟ୍ର ରତ୍ନଗିରି ଠାରୁ ୨୪୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥିବାବେଳେ ବାତ୍ୟା ମୁମ୍ବାଇରୁ ୪୬୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଏବଂ ଓମାନର ଉପକୂଳରୁ ୧ହଜାର ୭୧୦ କିଲେମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରିତ ରହିଛି। ଯାହା ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଅଗ୍ରସର ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। 

{"id":174798}

ତେବେ ବାତ୍ୟା ଓମାନ ଏବଂ ୟେମେନ ଉପକୂଳକୁ ମୁହାଁଇବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତ  ଉପକୂଳରେ ଘୂର୍ଣ୍ଣିବାତ୍ୟାର ପ୍ରଭାବ ରହିବ କି ନା ତା ଉପରେ ଏବେ କଡା ନଜର ରଖାଯାଇଛି। ସ୍କାଏମେଟ୍ ଅନୁସାରେ ବର୍ଷର ଏହି ସମୟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରାୟ ଘୂର୍ଣ୍ଣିବାତ୍ୟା ଓମାନ ଓ ୟେମେନ ଉପକୂଳକୁ ମୁହାଁଇଥାନ୍ତି। ତେବେ ଏଥିରୁ ମାତ୍ର କିଛି ଗୁଜୁରାଟ ଅଥବା କରାଚୀ ଆଡକୁ ଗତି କରିଥାଏ। ତେବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଧିରେଧିରେ ବିକରାଳ ରୂପ ଧାରଣ କରୁଥିବାରୁ ଏଥିଲାଗି ସତର୍କ ରହିବାକୁ ସୂଚାଇ ଦିଆଯାଇଛି।

{"id":174799}

ଆଇଏମଡି ଅଧିକାରୀଙ୍କ ଅନୁସାରେ ଏଥିଲାଗି ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂ୍ର୍ଣ୍ଣ । କାରଣ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟାର ରୂପ ଧାରଣ କରିବ ଓ ପରବର୍ତ୍ତି ୧୨ ଘଣ୍ଟାରେ ଏହା ଶକ୍ତିଶାଳୀ ସାମୁଦ୍ରିକ ଝଡରେ ରୂପାନ୍ତରିତ ହୋଇ ଉପକୂଳକୁ ମୁହାଁଇବ।  ଏଣୁ ଉପୁଜିଥିବା ପରିସ୍ଥିତିରେ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ଗୋଆ ନ ଯିବା ଲାଗି ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ କଡା କଟକଣା ଜାରି ହୋଇଥିବା ବେଳେ କେତେକ ସ୍ଥାନରେ ଅସ୍ଥାୟୀ ରୂପେ ନୌକା ସେବା ହଟାଇ ଦିଆଯାଇଛି।

{"id":174800}

ଘୂର୍ଣ୍ଣିବାତ୍ୟା 'କ୍ୟାର' ଯୋଗୁ ଗୋଆ ଉପକୂଳରେ ଶୁକ୍ରବାର ତୃତୀୟ ଦିନ ମଧ୍ୟ ବର୍ଷା ଜାରି ରହିଛି। ଏଠାରେ ଆସନ୍ତା ୧୨ ଘଣ୍ଟା ପାଗ ଏପରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ତେବେ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁଦୁର୍ଗରେ ୧୨ ଘଣ୍ଟା ପରେ ବର୍ଷା ଆରମ୍ଭ ହୋଇପାରେ ବୋଲି କୁହାଯାଇଛି। ବର୍ଷାସାଙ୍ଗକୁ ଏଠାରେ ପବନର ବେଗ ମଧ୍ୟ ରହିବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.