ଆସନ୍ତା ୨୨ରେ ପଞ୍ଚାୟତ ଉପନିର୍ବାଚନ, କୋଭିଡ୍ କଟକଣାରେ ହେବ ସମସ୍ତ ପ୍ରକ୍ରିୟା, ଲଢିପାରିବେ କରୋନା ଆକ୍ରାନ୍ତ ବ୍ୟକ୍ତି

Published By : Prameya-News7 Bureau | December 05, 2020 IST

ଭୁବନେଶ୍ୱର,୦୫/୧୨: ଆସନ୍ତା ଡିସେମ୍ବର ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପ ନିର୍ବାଚନ ସହ କଟକ ସଦର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ, ବଲାଙ୍ଗିର ଜିଲ୍ଲାର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।

ଏତତ୍ ବ୍ୟତୀତ,  ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖାଲିଥିବା ୧୨ଟି ପଞ୍ଚାୟତ ସମିତିସଭ୍ୟ ଆସନ, ୮ଟି ସରପଞ୍ଚ ଆସନ ଓ ୬୮ଟି ୱାର୍ଡରେ ୱାର୍ଡ ମେମ୍ବର ଆସନ ପାଇଁ ଉପନିର୍ବାଚନ କରାଯିବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ନିର୍ବାଚନ ଆୟୋଗ ସଚିବ କହିଛନ୍ତି ଯେ,, ଗତ ମାର୍ଚ୍ଚ ୨୪ରେ ଏସବୁ ଆସନ ପାଇଁ ଉପନିର୍ବାଚନ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ୨୨ ତାରିଖ ଏହି ସବୁ ଆସନରେ ଉପନିର୍ବାଚନ ହେବ। କୋଭିଡ୍‌ କଟକଣା ଓ ନିୟମାବଳୀ ପାଳନ କରି ନିର୍ବାଚନ ପାଇଁ କୁହାଯାଇଛି। ପଞ୍ଚାୟତ ନିର୍ବାଚନ ବାଲାଟ୍‌ରେ ହେଉଥିବାବେଳେ ଭୋଟରଙ୍କ ପାଇଁ ଅଧିକ ସଂଖ୍ୟାରେ ଷ୍ଟାମ୍ପ ରଖାଯିବ। ଇଭିଏମ୍‌ ବ୍ୟବହାର ପାଇଁ ମତଦାତାଙ୍କୁ ଗ୍ଲୋଭ୍‌ସ ଦିଆଯାଉଥିବାବେଳେ ବାଲାଟ୍‌ ପେପରରେ ମତଦାନ ପାଇଁ ଭୋଟରଙ୍କୁ ଗ୍ଲୋଭ୍‌ସ ଦିଆଯିବନି। କେବଳ ମତଦାନ କେନ୍ଦ୍ରରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ଗ୍ଲୋଭ୍‌ସ ପିନ୍ଧିବେ। ବାଲାଟ ପେପରରେ ବ୍ୟବହାର ପାଇଁ ଥିବା ଷ୍ଟାମ୍ପକୁ ନିୟମିତ ବ୍ୟବଧାନରେ ସାନିଟାଇଜ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେହିପରି ମତଦାନରେ କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ମତଦାନ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ରହିବ । ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ। ୫୫ ବର୍ଷରୁ ଅଧିକ ବୟସ୍କ ଓ ଗର୍ଭବତୀ ଥିବା କର୍ମଚାରୀଙ୍କୁ ଭୋଟ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ପ୍ରାର୍ଥିପତ୍ର ଦାଖଲ ସମୟରେ ମଧ୍ୟ କରୋନା କଟକଣା ପାଳନ କରିବାକୁ ହେବ। କରୋନା ଆକ୍ରାନ୍ତ ଥିବା ବ୍ୟକ୍ତି ନିଜ ପ୍ରସ୍ତାବକ ମାଧ୍ୟମରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ପ୍ରଚାର କାର୍ଯ୍ୟ ପାଇଁ ମଧ୍ୟ କରୋନା କଟକଣା ମାନିବାକୁ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.