୨୦୧୯ ନିର୍ବାଚନ: ରାଜ୍ୟ ରାଜନୀତିରେ ଗେମ୍ ଚେଞ୍ଜର ହେବେ କି ବିଦ୍ରୋହୀ ନେତା? ଅତୀତରେ ଘଟିଛି ଅନେକ ଘଟଣା…
18/12/2018 at 9:17 PM

ଭୁବନେଶ୍ବର୧୮|୧୨: ରାଜନୈତିକ ମଇଦାନରେ ବିରୋଧୀଙ୍କୁ ଧରାଶାୟୀ କରିବାକୁ ଚାଲେ ଗୋଟି। ପରସ୍ପରକୁ ଟାର୍ଗେଟ୍ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ରଣନୀତିପ୍ରସ୍ତୁତ ହୁଏ । ହେଲେ ଦଳ ପାଇଁ ସବୁବେଳେ ବିଦ୍ରୋହୀ ହୁଅନ୍ତି ଚିନ୍ତାର କାରଣ। ନିଜ ଦଳ ଓ ନେତାଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସନ୍ତି । ଏମାନଙ୍କ ବେଲଗାମ୍ ବୟାନ ଅନେକ ସମୟରେ ଦଳକୁ ଅଠାକାଠିରେ ପକାଏ । ୨୦୧୯ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ହେଲେ ପ୍ରଶ୍ନ ଉଠୁଛି, ଏଥର ପଲିଟିକାଲ୍ ପିଚ୍ରେ ବିଦ୍ରୋହୀ ନେତା ହେବେ କି ଗେମ୍ ଚେଞ୍ଜର? ରାଜନୀତିର ପଶାପାଲିରେ କାହା ବିରୋଧରେ ଚାଲିବ ବିଦ୍ରୋହୀ ଗୋଟି?
୨୦୧୯ ପାଇଁ ଜୋରଦାର ହେଲାଣି ସଜବାଜ। ବିଜୟ ବାନା ଉଡାଇବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ ହେଲାଣି ରୋଡମ୍ୟାପ୍। ପରସ୍ପରକୁ ଧରାଶାୟୀ କରିବାରୁ ରଣନୀତି ତିଆରିହେଉଛି। ଏମିତିରେ ଗେମ୍ ଚେଞ୍ଜର ହେବେ କି ବିଦ୍ରୋହୀ ନେତା? ରାଜ୍ୟ ରାଜନୀତିର ଗଣିତ ବଦଳାଇବେ କି ବିଦ୍ରୋହୀ ?
ରାଜ୍ୟ ରାଜନୀତିରେ ବିଦ୍ରୋହୀ ନେତାଙ୍କୁ ନେଇ ଅନେକ ସମୟରେ ଜୋରଦାର ଚର୍ଚ୍ଚା ହୋଇଛି। କ୍ଷମତା ହାତେଇବା ପାଇଁ ଅଭିସନ୍ଧି ହେଉ କି ରାଜନୀତିରେ ପ୍ରଭାବ ବିସ୍ତାର, ଦଳ ବିରୋଧରେ ସ୍ବର ଉଠାଇଛନ୍ତି ବିଦ୍ରୋହୀ। ଯାହା ପାଓ୍ବାର କରିଡରରେ ସୃଷ୍ଟି କରିଛି ନୂଆ ସମୀକରଣ।
ସେବେ ନୁହେଁ କି ଏବେ ନୁହେଁ ଯୁଗେ ଯୁଗେ ରହି ଆସିଛି ଦଳ ବିରୋଧୀ କାର୍ଯ୍ୟ, ଆଉ ଅଛନ୍ତି ଦଳ ବିରୋଧୀ ନେତା ୧୯୩୬ ଏପ୍ରିଲ ୧ ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ରାଜ୍ୟରେ ଗଢ଼ିଛି ଅନେକ ରାଜନୈତି ଦଳ ।କେବେ ରାଜ୍ୟର ସ୍ବାର୍ଥ ପାଇଁ ଲଢ଼ୁଥିବା ନେତାଙ୍କୁ ଲାଗିଛି କ୍ଷମତାର ଲୋଭ। ଥରେ କ୍ଷମତାଲୋଭ ମନକୁ ଆସିଲେ ମଣିଷକୁ ଘାରିଥାଏ ଚୌକି ଚିନ୍ତା। ତେବେ ତାହାର ବିରୋଧ ଯଦି କିଏ କରେ ତେବେ ଆରମ୍ଭ ହୁଏ ଦଳ ବିରୋଧୀ କାର୍ଯ୍ୟ।
ଆଗାମୀ ସାଧାରଣ ନିର୍ବାଚନ ବେଳେ ରାଜ୍ୟର ତିନିଟି ଯାକ ରାଜନୈତିକ ଦଳରେ ଅସନ୍ତୁଷ୍ଟ ନେତା ଓ ଦଳ ବିରୋଧୀ କାର୍ଯ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏବେ ଠାରୁ ତାର ସୂଚନା ମିଳିବା ଆରମ୍ଭ ହୋଇ ସାରିଲାଣି । ଅବଶ୍ୟ ବେଳ ଥାଉ ଥାଉ ଚୁଟି ବାନ୍ଧିବା ନ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ଦଳ ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିସାରିଛନ୍ତି ବା ଦଳ ବିରୋଧୀଙ୍କୁଏକ ଘରିକିଆ କରିସାରିଛନ୍ତି । ଯେମିତିକି ବିଜେଡିରେ ବୈଜୟନ୍ତ ପଣ୍ଡା ଓ ଦାମ ରାଉତଙ୍କ ଘଟଣା ଘଟିଲା। କୁହାଯାଉଛି ଯେ, ଟିକେଟ ବଣ୍ଟା ସରିବାପରେ ଦଳ ବିରୋଧୀଙ୍କ ସଂଖ୍ୟା ଓ କାର୍ଯ୍ୟକଳାପ ଆହୁରି ବୃଦ୍ଧି ପାଇବ । କେବଳ ଶାସକ ଦଳ ନୁହେଁ କଂଗ୍ରେସ ଓ ବିଜେପିରେ ମଧ୍ୟ ସମାନ ସମସ୍ୟା । ଏବେ କଂଗ୍ରେସରେ ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆଙ୍କ ପ୍ରସଂଗ ବେଶ ଚର୍ଚ୍ଚାରେ ଅଛି । ସେହିଭଳି କିଛିଦିନ ତଳେ ବିଜେପିରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସ୍ଥିତି ଥିଲା ଓ ସେମାନେ ଦଳ ଛାଡିଛନ୍ତି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଏ ଡ୍ରାମା କ୍ଲାଇମେକ୍ସ ଆଡକୁ ଅଗ୍ରସର ହେବ ଏଥିରେ ସଂଦେହ ନାହିଁ ତେବେ ଆସନ୍ତୁ ନଜର ପକାଇବା ଅତୀତର କିଛି ଚର୍ଚ୍ଚିତ ଦଳ ବିରୋଧୀ ଘଟଣା ।

ପ୍ୟାରିମୋହନ
ଓଡ଼ିଶାରେ ଦଳ ବିରୋଧୀ ନେତାଙ୍କ କଥା କହିଲେ ସର୍ବ ସମ୍ମୁଖକୁ ଆସିଥାଏ ପ୍ୟାରିମୋହନ ମହାପାତ୍ରଙ୍କ ନାଁ । ଯିଏ ଦିନେ ଥିଲେ ରାଜନୀତିର ଚାଣକ୍ୟ । ତାଙ୍କୁ ଏମିତି କ୍ଷମତା ମୋହ ଲାଗିଲା ଯାହା ତାଙ୍କୁ ବେଇମାନ ସଜେଇଦେଲା । ରାଜ୍ୟ ରାଜନୀତିରେ ଏତେ ବଡ଼ ଦଳ ବିଦ୍ରୋହୀ କାର୍ଯ୍ୟ ବୋଧହୁଏ କେହି କେବେ ଦେଖିନଥିଲେ । ଯାହା ଘଟିଥିଲା ମେ ୨୯ ତାରିଖ ୨୦୧୨ରେ ।
ପ୍ରଶାସନିକ ଚାକିରିରୁ ଅବସର ନେବା ପରେ ରାଜନୀତିରେ ବେଶ ସକ୍ରିୟ ଥିଲେ ପ୍ୟାରିମୋହନ ମହାପାତ୍ର । ସେ ନାଁ ଥିଲେ ମୁଖ୍ୟମନ୍ତ୍ରୀ ନା ଥିଲେ ମନ୍ତ୍ରୀ । କିନ୍ତୁ ତାଙ୍କ କଥାରେ ଚାଲୁଥିଲା ପାୱାର କରିଡର । କାହାକୁ ବିଧାୟକରୁ ମନ୍ତ୍ରୀ ତ ଆଉ କାହାର ମନ୍ତ୍ରୀ ପଦରୁ ହଟାଇ ବିଧାୟକ କରୁଥିଲେ ପ୍ୟାରିମୋହନ । ଅଖଣ୍ଡ କ୍ଷମତାର ଅଧିକାରୀ କୁହାଯାଉଥିବା ପ୍ୟାରୀ ମୋହନଙ୍କୁ ଦଳରୁ ବିତାଡିତ କରିଥିଲା ତାଙ୍କ ମିଡ ନାଇଟ ଅପରେସନ ।
୨୦୧୨ ମେ ୨୯, ରାତିରେ ପ୍ୟାରିଙ୍କ ସହିଦ ନଗର ଘର ଆଗରେ ଲଗିଥିଲା ଜଣେ ପରେ ଜଣେ ବିଜେଡି ବିଧାୟକଙ୍କ ଗାଡ଼ି । ସରକାରୀ କାମରେ ନବୀନ ବିଦେଶରେ ଥିବା ବେଳେ ସହିଦ ନଗରରେ ଗୁପ୍ତ ବୈଠକୁ ନେଇ ଆଶଙ୍କା ପ୍ରକଟ କରନ୍ତି ନବୀନଙ୍କ ସମର୍ଥକ । ତେଣୁ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରନ୍ତି । ପ୍ୟାରିଙ୍କ ସହ ଫୋନରେ କଥା ହେବାପରେ ବିଦେଶ ଗସ୍ତକୁ କାଣ୍ଟଛାଟ କରି ଓଡ଼ିଶା ଫେରିଆସନ୍ତି ନବୀନ ପଟ୍ଟନାୟକ । ହେଲେ ରାଜ୍ୟରେ ଚାଲିଥିବା ଏହି ହାଇଭୋଲ୍ଟଟେଜ ଡ୍ରାମାକୁ ଚାହିଁ ବସିଥାନ୍ତି ରାଜ୍ୟବାସୀ । ଅଙ୍କକଷା ଜାରି ରଖିଥାନ୍ତିରାଜନୀତି ବିଶେଷଜ୍ଞ । ଓଡ଼ିଶା ଫେରିବା ପରେ ନବୀନଙ୍କଆଡ଼କୁ ଢ଼ଳିଲେ ଜଣେ ପରେ ଜଣେ ପ୍ୟାରିଙ୍କ ସମର୍ଥକ । ଶେଷରେ ବିଧାୟକଙ୍କ ସହ ବୈଠକ ପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ।ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ କେମିତି ଚକ୍ରାନ୍ତ କରୁଥିଲେ ପ୍ୟାରି ତାହାର ଖୁଲାସା କଲେ । ଯାହାପ୍ୟାରିଙ୍କୁ ଦେଇଥିଲା ବେଇମାନ ଆଖ୍ୟା…
ବିଜୟ ମହାପାତ୍ର
ପ୍ୟାରିଙ୍କ ପରି ଆଉ ଜଣଙ୍କୁ ଅତି ଚତୁରତାର ସହ ବଳି ପକାଇଥିଲେ ନବୀନ। ଏକଦା ବିଜୁବାବୁଙ୍କ ସମୟରେ ଉଠା ଜଳସେଚନ ମନ୍ତ୍ରୀ ଥିବା ବିଜୟ ମହାପାତ୍ର ନବୀନଙ୍କ ସମୟରେ ଦ୍ବିତୀୟ କ୍ଷମତା କେନ୍ଦ୍ର । ବିଜୟ ପପୁଲାର ଲିଡର ନଥିଲେ ସତ । କିନ୍ତୁ ବିଜୟଙ୍କ କୁଟନୀତି ବିେଜଡିକୁ ଦେଇଥିଲା ଅଜସ୍ର ସଫଳତା । କିନ୍ତୁ ଯେବେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ବିଜୟ ତାହା ନବୀନଙ୍କୁ ଅଠାକାଠିରେ ପକାଇଥିଲା । ଯେଉଁଥିପାଇଁ ବିଜୟଙ୍କୁ ଠିକ୍ ତାଙ୍କ ତରିକାରେ ଫଶାଇ ଦେଇଥିଲେ ନବୀନ । ବିଜୟଙ୍କ କ୍ଷେତ୍ରୟରେ ଏମିତି ଗୋଟି ଚଳାଇଥିଲେ ନବୀନ ଯେ ବିଜୟ ମହାପାତ୍ର ସ୍ବାଧୀନପ୍ରାର୍ଥୀ ଭବରେ ମଧ୍ୟ ନିର୍ବାଚନ ଲଢ଼ି ପାରିନଥିଲେ।
ସୌମ୍ୟରଞ୍ଜନ ପଟ୍ଟନାୟକ
ରାଜ୍ୟରେ ୧୮ ବର୍ଷ ହେଲା ଶାସନ ଭାର ବିଜେଡି ସରକାର ହାତରେ ।ରାଜ୍ୟରେ ଅନେକ ଛାମୁଆ ନେତା ଗୋଟିଏ ପରେ ଗୋଟିଏ ଦଳବଦଳ କରିଛନ୍ତି । ସେମିତି କଂଗ୍ରେସ, ବିଜେପି ପରେ ଆମ ଓଡ଼ିଶା ଆଉ ଏବେ ଶଙ୍ଖ ଧରିଥିବା ସୌମ୍ୟ ରଞ୍ଜନପଟ୍ଟନାୟକ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛି କମ୍ ଚର୍ଚ୍ଚାରେ ନାହାଁନ୍ତି । ବିଶେଷ କରି କଂଗ୍ରେସରେ ଥିବା ସମୟରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ସୌମ୍ୟଙ୍କ ନାଁରେ ଅଭିଯୋଗ ରହିଛି । କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ସୌମ୍ୟରଞ୍ଜନ ଅନେକ ଥର କଂଗ୍ରେସରୁ ବାହାରିଛନ୍ତିଏବଂ ଯୋଗ ଦେଇଛନ୍ତି । ତେବେ ଜୟଦେବ ଜେନା ପିସିସି ସଭାପତି ଥିବା ବେଳେ ଜୋର ଧରିଥିଲା ଏହି ବିବାଦ। ଗୋଟିଏ ପଟେ ପସିସି ସଭାପତି ଜାତୀୟ ନେତାଙ୍କୁ ନେଇ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଅନ୍ୟ ପଟେ ନିଜ ସର୍ଥକ ତଥା କିଛି ସାମଜିକ କର୍ମୀଙ୍କୁ ଧରି ସଂକଳ୍ପ ଯାତ୍ରା କରୁଥିଲେ ସୌମ୍ୟରଞ୍ଜନ । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ପିସିସି ସଭାପତି ଓ ରାଜ୍ୟର ଅନ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ସମନ୍ବୟ ନଥିବା ଅନୁଭବ କରିଥିଲେ ଜାତୀୟ ନେତା । ବାରମ୍ବାର ଦଳ ବିରୋଧୀକାର୍ଯ୍ୟ କରୁଥିବା ଅଭିଯୋଗ ପରେ ତାଙ୍କୁ ଶୃଙ୍ଖଳାଗତ ଚେତାବନୀ ମଧ୍ୟ ଦେଇଥିଲେ । ଶେଷରେ ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବିତାଡିତ କରାଯାଇଥିଲା ।

ରାଜ୍ୟ ରାଜନୀତି ହେଉ କି ଦେଶ ରାଜନୀତି । ସବୁଠି ଚାଲିଛି ଦଳୀୟ କନ୍ଦଳ। ଦଳର ନେତା ଯେତେବେଳେ ମୁଖିଆଙ୍କ କଥାକୁ ଗୁରୁତ୍ବ ଦିଅନ୍ତି ନାହିଁ ସେତେବେଳେ ଦଳ ପାଇଁ ମହଙ୍ଗା ପଡ଼ିଥାନ୍ତି ବିଦ୍ରୋହୀ ନେତା । ତେଣୁ ତାଙ୍କୁ ଆଉଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତି ମୁଖିଆ…