ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଆରମ୍ଭ ହେବ ଡି ବ୍ରିଫିଙ୍ଗ୍

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ୨|୩: ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ବିତାଇବା ପରେ ଶେଷରେ ଗତକାଲି ରାତି ୯.୦୦ରେ ଦେଶକୁ ଫେରିଛନ୍ତି ବାୟୁସେନାର ବୀର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ। ସେ ଦେଶକୁ ଫେରି ଆଜି ସକାଳୁ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନଓ୍ଵାଙ୍କୁ ଭେଟିଛନ୍ତି। ପାକିସ୍ତାନରେ ତାଙ୍କର ୬୦ ଘଣ୍ଟା କିପରି କଟିଥିଲା ତାହା ସେ ଧନଓ୍ଵାଙ୍କ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି।ଆଜି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭେଟିଛନ୍ତି ।

ଶତ୍ରୁ ଦେଶରେ ୬୦ ଘଣ୍ଟା ବିତାଇ ଆସିଥିବା ଅଭିନନ୍ଦନଙ୍କର ମାନସିକ ଅବସ୍ଥା କିପରି ଅଛି ଜାଣିବା ପାଇଁ ତାଙ୍କର ‘ଡିବ୍ରିଫିଂ’ କରାଯିବ ବୋଲି ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ‘ଡିବ୍ରିଫିଂ’ ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ .ସେନା ଅଧିକାରୀଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ତାଙ୍କ ମାନସିକ ଅବସ୍ଥାକୁ ଅନୁଧ୍ୟାନ କରାଯାଇଥାଏ । ଯେହେତୁ ଅଭିନନ୍ଦନ ଶତ୍ରୁ ଦେଶରେ ଏତେ ଘଣ୍ଟା ବିତାଇଛନ୍ତି  ତେଣୁ ତାଙ୍କୁ ସେମାନେ କିପରି ରଖିଥିଲେ, ଅଭିନନ୍ଦନଙ୍କ ମସ୍ତିଷ୍କରେ କ’ଣ ସବୁ ଚାଲିଛି ତାହା ଜାଣିବା ପାଇଁ ‘ଡିବ୍ରିଫିଂ’ ଜରୁରୀ।

ଭାରତୀୟ ବାୟୁସେନା ଓ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ‘ଡିବ୍ରିଫିଂ’ ସମୟରେ ଅଭିନନ୍ଦନଙ୍କ ସହ ଉପସ୍ଥିତ ରହିବେ। ମିଗ୍‌-୨୧ରୁ ବାହାରି ପାକିସ୍ତାନ ସୀମାରେ ପଡ଼ି ଯାଇଥିବା ଅଭିନ୍ଦନଙ୍କୁ ଔପଚାରିକ ଭାବେ କିଛି ପ୍ରଶ୍ନ ପଚରାଯିବ। ଅନ୍ୟପକ୍ଷରେ, ଅଭିନନ୍ଦନ ପାକିସ୍ତାନରେ ଥିବା ସମୟରେ ସେମାନଙ୍କ ଅତିଥ୍ୟକୁ ପ୍ରଶଂସା କରୁଥିବା ବେଳର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ବୁଲିବାରେ ଲାଗିଛି। ସେ ଭିଡିଓର ସତ୍ୟାସତ୍ୟ ଓ ଅଭିନନ୍ଦନଙ୍କର ପାକିସ୍ତାନୀମାନଙ୍କ ପ୍ରତି କିପରି ଭାବନା ଅଛି ତାହା ଜାଣିବା ଲାଗି ବିଭିନ୍ନ ପ୍ରଶ୍ନ ପଚରାଯିବ।Tପାକିସ୍ତାନୀମାନେ ତାଙ୍କୁ କେଉଁ ସବୁ ସୂଚନା ମିଗିଥିଲେ ସେ ସଂପର୍କରେ ‘ଡିବ୍ରିଫିଂ’ ସମୟରେ ଅଭିନନ୍ଦନଙ୍କୁ ପଚରାଯିବ। ତାଙ୍କୁ କେଉଁ ସ୍ଥାନରେ ରଖାଯାଇ କେତେ ସମୟ ପାଇଁ ଆଖିରେ କଳାପଟି ବନ୍ଧା ଯାଇଥିଲା ବୋଲି ପ୍ରଶ୍ନ ହେବ। ଯଦିଓ ଅଭିନ୍ଦନଙ୍କ ଦେଶପ୍ରେମକୁ ନେଇ କୌଣସି ପ୍ରକାର ସନ୍ଦେହ ନାହିଁ ତଥାପି ସେନାର ପ୍ରୋଟୋକଲ୍‌ ଅନୁସାରେ ଏସବୁ ପ୍ରକ୍ରିୟା ହେବା ଉଚିତ ବୋଲି ଜଣେ ବାୟୁସେନା ଅଧିକାରୀ ଜଣାଇଛନ୍ତି।

ପାକିସ୍ତାନ ଶାନ୍ତି ଚାହୁଁଛି। ଉଭୟ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନା ହ୍ରାସ ପାଇଁ ପାକିସ୍ତାନ ଉଦ୍ୟମ କରୁଛି। ଏଭଳି କହି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କେବଳ ଭାଷଣବାଜି କରୁଛନ୍ତି। କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଲୁୁଚି ରହୁନି। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସୀମାନ୍ତରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ଗତ ୫ ଦିନ ମଧ୍ୟରେ ପାକ୍‌ ସେନା ପକ୍ଷରୁ ୫୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ କେବଳ ଭାରତୀୟ ସେନାର କ୍ଷତି ହୋଇନାହିଁ, ୪ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ପାକ୍‌ ସେନା ପକ୍ଷରୁ ଲଗାତାର ଭାବେ ଉରୀ, ନୌସେରା, ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ପୁଞ୍ଚ ଜିଲାର ଝୁଲାସ ଅଞ୍ଚଳରେ ପାକ୍‌ ସେନା ମୋର୍ଟାର ମାଡ଼ କରିବାରୁ ଏକ ପରିବାରର ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରୁବିନା କୌସେର ଏବଂ ତାଙ୍କର ୨ ଶିଶୁ ଶବନମ(୪) ଓ ଶାଜିଆ(୩)ଙ୍କ ମୃତ୍ୟୁ ଘଟିଥିଲା। ରବିନାଙ୍କ ସ୍ବାମୀ ମହମ୍ମଦ ୟୁନିସ ଗୁରୁତର ଆହତ ହୋଇଛନ୍ତି। ୨ଦିନ ତଳେ ପାକ୍‌ ସେନାର ଗୁଳିମାଡ଼ ଯୋଗୁ ୧୦ ଭାରତୀୟ ଯବାନ ଆହତ ହୋଇଥିଲେ। ଉରୀ ସେକ୍ଟରରେ କ୍ରମାଗତ ଗୁଳିମାଡ଼ ଯୋଗୁ ସେଠାକାର ଲୋକେ ଭୟଭୀତ ହୋଇ ଝରଦ୍ବାର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଉଛନ୍ତି। ପାକ୍‌ ସେନା ବାରମ୍ବାର ଏଭଳି କରୁଥିଲେ ମଧ୍ୟ ଇମ୍ରାନ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। କେବଳ ନିଜ ଅସଲ ଚେହେରା ଘୋଡ଼ାଇବା ଲାଗି ଆମେ ଚାହୁଁଛୁ ବୋଲି ଡିଣ୍ଡିମ ପିଟୁଥିବା ସ୍ପଷ୍ଟ ହେଉଛି।

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଶୁକ୍ରବାର ରାତିରେ ପାକିସ୍ତାନ ଭାରତକୁ ଫେରାଇଲା। ହେଲେ ଏଥିପାଇଁ ବହୁ ସମୟ ବିଳମ୍ବ କରିଥିଲା। ଏହା ପଛର କାରଣ ହେଉଛି ପ୍ରୋପାଗଣ୍ଡା ଭିଡିଓ। ପାକିସ୍ତାନ ଅଭିନନ୍ଦନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଭାରତ ନ ଛାଡ଼ି ତାଙ୍କଠାରୁ ଜବରଦସ୍ତି ଏକ ଭିଡିଓ ଶୁଟ୍‌ କରିଥିଲା। ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ପାକିସ୍ତାନ ତାଙ୍କଠାରୁ ଜୋର ଜବରଦସ୍ତି କିଛି ବୟାନ ରେକର୍ଡ କରିବା ସହ ତାହାର ଭିଡିଓ ଭାଇରାଲ କରିଥିଲା।

କୁହାଯାଉଛି ଯେ, ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ସେହି ଦେଶର ନାଗରିକ ଅଭିନନ୍ଦନଙ୍କ ମୁକ୍ତି ସପକ୍ଷରେ ନ ଥିଲେ। କିନ୍ତୁ ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ନିଜ ଦେଶବାସୀ ବିରୋଧ କରୁଥିବାବେଳେ ସେମାନଙ୍କ ମତକୁ ପ୍ରଭାବିତ କରିବା ଲାଗି ପାକିସ୍ତାନ ଭିଡିଓଟି ଜାରି କରିଥିଲା। ଅଭିନନ୍ଦନ ଭାରତକୁ ଆସିବା ପୂର୍ବରୁ ଏହି ଭିଡିଓ ପାକିସ୍ତାନୀ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ଯେଉଁ ସମୟରେ ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲା, ସେହି ସମୟରେ ତାହା ନ କରି ଏଭଳି ନାଟକବାଜି ଚଳାଇଥିଲା।

ମାତ୍ର ଦେଢ଼ ମିନିଟର ଉକ୍ତ ଭିଡିଓକୁ ୧୫ରୁ ୧୭ ଥର ନିଜ ଇଚ୍ଛା ଅନୁସାରେ ଏଡିଟ୍‌(କଟାକଟି) କରାଯାଇଛି, ଯେଉଁଥିରେ ପାକିସ୍ତାନର ନାଗରିକଙ୍କୁ ପ୍ରଭାବିତ କରିବା ଭଳି ତଥ୍ୟ ରହିଛି। ଏହି ପ୍ରୋପାଗଣ୍ଡା(ଅନ୍ୟକୁ ପ୍ରଭାବିତ କରିବା ଭଳି ମତ) ଭିଡିଓକୁ ଭାଇରାଲ କରି ନିଜ ଦେଶବାସୀଙ୍କ ନିକଟରେ ଏବଂ ବିଶ୍ଵସ୍ତରରେ ପାକ୍‌ ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ କରିଛି। ଅଭିନନ୍ଦନଙ୍କୁ ଚାପରେ ରଖି ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ସ୍ପଷ୍ଟ ହେଉଥିବାବେଳେ ପାକିସ୍ତାନର ଏଭଳି ହୀନ ଉଦ୍ୟମକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଆକାଶରେ ଅଭିନନ୍ଦନ ଦେଖାଇଥିଲେ ଅଦମ୍ୟ ସାହସ । ବେଶ ଶକ୍ତିଶାଳୀ F-16କୁ  MiG-21 ବିମାନ ଧରି ୨୭ହଜାର ଫୁଟ ଉପରେ ଗୋଡାଇଥିଲେ ଅଭିନନ୍ଦନ । ଆକାଶରେ ଚାଲିଥିଲା ୮୬ସେକେଣ୍ଡର ଡଗ ଫାଇଟ୍ ।

୨୭ଫେବୃଆରୀ, ବୁଧବାର । ୧୫ହଜାର ଫୁଟ ଉଚ୍ଚରେ ଉଡୁଥିଲା MiG-21 ଫାଇଟର ବିମାନ । ଚାଳକ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସାମ୍ନାରେ ଉଡୁଥିଲା ପାକିସ୍ତାନ ଏୟାର ଫୋର୍ସର F-16 ବିମାନ । ଭାରତୀୟ ସୀମା ଭିତରେ ନୌସେରା ସେକ୍ଟରରେ ୮ହଜାର ଫୁଟ ଉପରେ ଚକ୍କର କାଟୁଥିଲା F-16 ବିମାନ ।

ପାକିସ୍ତାନର ଯେକୌଣସି ହରକତର ଜବାବ ଦେବାକୁ ସଜାଗ ଥିଲା ଭାରତୀୟ ବାୟୁସେନା । ପାକିସ୍ତାନୀ F-16 ବିମାନ  ଉପରେ ତୀକ୍ଷ୍ଣ ନଜର ପଡିବା ମାତ୍ରେ, ଅଭିନନ୍ଦନ ରେଡିଓ ଯୋଗେ କହିଥିଲେ, ଏହାକୁ ମୁଁ ଭଗାଉଛି, ଇଏ ମୋ ଶିକାର । MiG-21 ଠାରୁ ବେଶ ଶକ୍ତିଶାଳୀ  F-16 ବିମାନ । କିନ୍ତୁ ଅଭିନନ୍ଦନଙ୍କ ସାହସ, ଦୃଢତା ଏବଂ ମନୋବଳ ଆଗରେ ଏସବୁର ଯେମିତି କିଛି ଅର୍ଥ ନଥିଲା । MiG-21 ବିମାନ ଧରି ଆକାଶରେ ଆଗକୁ ବଢିଥିଲେ ଅଭିନନ୍ଦନ । ଆରମ୍ଭ ହୋଇଥିଲା ୮୬ସେକେଣ୍ଡର ଲଢେଇ ।

ମଝି ଆକାଶରେ ଏମିତି ଲଢେଇକୁ କୁହାଯାଏ ଡଗ୍ ଫାଇଟ୍  । ପାକିସ୍ତାନୀ ବିମାନକୁ ତୀବ୍ର ଗତିରେ ପିଛା କରିଥିଲେ ଅଭିନନ୍ଦନ । ମାତ୍ର ୪ସେକେଣ୍ଟରେ ୧କିଲୋମିଟର ବା ଘଣ୍ଟାପ୍ରତି ୯କିଲୋମିଟର ବେଗରେ ଧାଇଁଥିଲା MiG-21 ବିମାନ । ଏମିତି ଆଗ ପଛ ଗୋଡାଗୋଡି ଚାଲିଥିଲା ୨୬ହଜାର ଫୁଟ ଉପରେ । କେତେବେଳେ କିଏ ଉପରକୁ ଉଠି ଯାଉଥିଲା ତ କେତେ ବେଳେ କିଏ ତଳକୁ ଖସି ଯାଉଥିଲା ।

ଆଖିରେ ଆଖି ମିଶାଇ ଦୁଇ ପାଇଲଟ ଲଢୁଥିଲେ । ସେହି ସମୟରେ  F-16 ବିମାନକୁ ଭାରତୀୟ ଏୟାଫୋର୍ସର ସୁଖୋଇ ଏବଂ ମିରାଜ ବିମାନ ମଧ୍ୟ ଗୋଡାଉ ଥିଲେ । ଏହି ସମୟରେ R-73 ମିସାଇଲ୍ ଛାଡିଥିଲେ ଅଭିନନ୍ଦନ । ସେପଟୁ MiG-21 ବିମାନ ଉପରେ ପାକିସ୍ତାନୀ ଫାଇଟର ପ୍ଲେନ୍ ଫାୟାରିଂ କରିଥିଲା ।

ସେହି ସମୟରେ ସ୍ଥିତିକୁ ଅଭିନନ୍ଦନ ଜାଣିପାରିଥିଲେ । ତୁରନ୍ତ ପାରାଚୁଟ ସହାୟତାରେ ଓହ୍ଲାଇ ପଡିଥିଲେ । ତେବେ ପାକିସ୍ତାନ ପଟକୁ ପବନ ବୋହୁଥିବାରୁ ସେ ପିଓକ ର ୭କିଲୋମିଟର ଭିତରେ ଖସି ପଡିଥିଲେ । ଆକାଶରେ ଅଦମ୍ୟ ସାହସ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଯାହା ପାଇଁ ସାରା ଦେଶରୁ ମିଳିଛି ସାବାସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.